ସାମାନ୍ୟ ବଚସାରୁ ଆକ୍ରମଣ, ଜଣେ ଗୁରୁତର: ୨ ଅଭିଯୁକ୍ତ ଗିରଫ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ବରକୋଣା ସ୍କୁଲ ନିକଟରେ ଗତ ସୋମବାର ସାମାନ୍ୟ ବଚସାକୁ କେନ୍ଦ୍ର କରି ଦୁଇ ଜଣଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ଜଣେ ଗୁରୁତର ହୋଇ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣାରେ ପୋଲିସ ମଙ୍ଗଳବାର ୨ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଦ୍ୱୟ ହେଲେ ବରକୋଣା ଗ୍ରାମର ଶକ୍ତି ରଞ୍ଜନ ଯେନା(୧୯) ଓ ଚନ୍ଦ୍ରକାନ୍ତ ଯେନା(୨୦) । ତଦନ୍ତ ସମୟରେ ଅପରାଧରେ ବ୍ୟବହୃତେ ଗାଟିଏ ଛୁରୀକୁ ପୋଲିସ ଜବତ କରିଛି । ଅଭିଯୋଗରୁ ପ୍ରକାଶ ଯେ, ଧନିଓଝା(କୋଳିପଦୀ) ଗ୍ରାମର ସୁବାଷ ଯେନାଙ୍କ ପୁତୁରା ବାଦଲ ଯେନା ଆପଣ୍ଡା ଗ୍ରାମର ଶୁଭଙ୍କର ମୁଖୀଙ୍କ ସହିତ ଗତ ସୋମବାର ଟେଣ୍ଟ କାମ କରିବାକୁ ଯାଇଥିବା ବେଳେ ବରକୋଣା ଗ୍ରାମର ଶକ୍ତି ରଞ୍ଜନ ଯେନା ମଧ୍ୟ ସେମାନଙ୍କ ସହିତ ଯାଇଥିଲେ । ଟେଣ୍ଟ କାମ କରୁଥିବା ସମୟରେ ବାଦଲ ଓ ଶୁଭଙ୍କର କାମକୁ ନେଇ ଶକ୍ତି ରଞ୍ଜନ ସହିତ ସାମାନ୍ୟ ବଚସା ହୋଇଥିଲା । ଟେଣ୍ଟ କାମରୁ ଫେରିବା ସମୟରେ ଶକ୍ତି ରଞ୍ଜନ ବରକୋଣା ସ୍କୁ୍‌ଲ ନିକଟରେ ବାଦଲ ଓ ଶୁଭଙ୍କରଙ୍କୁ ହତ୍ୟା କରିବାକୁ ଯୋଜନା କରି ଚନ୍ଦ୍ରକାନ୍ତର ବାଇକ ଯୋଗେ ଆସି ଅପେକ୍ଷା କରିଥିଲେ । ବାଦଲ ଓ ଶୁଭଙ୍କର ଆସିବା ପରେ ତାଙ୍କୁ ଅକଟାଇ ଗାଳି ଗୁଲଜ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ । ଶକ୍ତି ରଞ୍ଜନ ଧରିଥିବା ଏକ ବଡ ଛୁରୀରେ ବାଦଲକୁ ଆକ୍ରମଣ କରିବା ସମୟରେ ସେ ଜୀବନ ରକ୍ଷା ନିମନ୍ତେ ଦୌଡିବାକୁ ଚେଷ୍ଟା କରିବାରୁ ବାଦଲଙ୍କ ବାମ ପାଶ୍ୱର୍ କାଖ ତଳ ଗଭୀର ଆଘାତ ଲାଗିଥିଲା । ପୁଣି ଚନ୍ଦ୍ରକାନ୍ତ ଓ ଶକ୍ତି ରଞ୍ଜନ ମଧ୍ୟ ଶୁଭଙ୍କରଙ୍କୁ ଛୁରୀରେ ଆଘାତ କରିଥିଲେ । ଫଳରେ ତାଙ୍କ ମୁଣ୍ଡର ବାମ ପାଶ୍ୱର୍ ତଳେ ଆଘାତ ଲାଗିଥିଲା । ଏହି ୨ ଜଣ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ପ୍ରାୟ ରାତି ୧୦ଟା ସମୟରେ କୋଳିପଦୀ ଗ୍ରାମର ଲୋକେ ଖବର ପାଇ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବରପଦା ସି.ଏଚ୍‌.ସିକୁ ଚିକିତ୍ସା ପାଇଁ ନେଇଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବାଦଲକୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ସେ ଏବେ ଚିକିତ୍ସାଧୀନ ଅଛନ୍ତି । ଏନେଇ ମଙ୍ଗଳବାର ବାଦଲଙ୍କ ଦାଦା ସୁବାଷ ଯେନା ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନଂ-୧୧୮/୨୬ ମୂଳେ ମାମଲା ରୁଜ୍ଜୁ କରିବା ସହିତ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ