ରାଜସ୍ଵ ଗ୍ରାମର ମାନ୍ୟତା ଦାବିରେ ବିଧାନସଭା ଘେରାଉ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ହଦଗଡ଼ ପଞ୍ଚାୟତର “ଦଲକି, ପିତାନାଉ, ରତନମରା ଏବଂ ସଜନାପାଳ” ଗ୍ରାମକୁ ରାଜସ୍ଵ ଗ୍ରାମର ମାନ୍ୟତା ଦାବିରେ ହଦଗଡ଼ ଗ୍ରାମ ପଞ୍ଚାୟତବାସୀଙ୍କ ପକ୍ଷରୁ ଓଡ଼ିଶା ବିଧାନସଭା ସମ୍ମୁଖରେ ବିକ୍ଷୋଭ ଏବଂ ଗଣଧାରଣା ପ୍ରଦର୍ଶନ କରାଯାଇଛି। ସେମାନଙ୍କ ଅଭିଯୋଗ ଅନୁଯାଇ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ହଦଗଡ଼ ଗ୍ରାମ ପଞ୍ଚାୟତର ଦଲକି, ପିତାନାଉ, ରତନମରା ଏବଂ ସଜନାପାଳ”କୁ ରାଜସ୍ଵ ଗ୍ରାମର ମାନ୍ୟତା ପାଇଁ ଦୀର୍ଘାବର୍ଷ ହେବ ଦାବି କରି ଆସୁଛନ୍ତି। ରାଜସ୍ଵ ଗ୍ରାମର ମାନ୍ୟତା ନଥିବାରୁ ଏହି ଗ୍ରାମ ମାନଙ୍କରେ ସରକାରଙ୍କର ବହୁ ଜନ କଲ୍ୟାଣକାରୀ ଯୋଜନା ଗୁଡିକ କାର୍ଯ୍ୟକାରୀ କରାଯାଇ ପାରୁନାହିଁ। ଚାରି ହଜାରରୁ ଉର୍ଦ୍ଧ୍ବ ପରିବାର ଏହି ଗ୍ରାମ ମାନଙ୍କରେ ୬୦ ବର୍ଷରୁ ଉର୍ଦ୍ଧ ସମୟ ଧରି ବସବାସ କରୁଥିବା ବେଳେ ସେମାନେ ନାନାଦି ସମସ୍ୟା ମଧ୍ୟରେ କାଳାତିପାତ କରୁଛନ୍ତି। ଏହି ଗ୍ରାମ ଗୁଡ଼ିକ ରାଜସ୍ବ ଗ୍ରାମର ମାନ୍ୟତା ପାଇ ପାରିନ ଥିବାରୁ ଏହି ଗ୍ରାମରେ ମନରେଗା-୨୦୦୫ ଯୋଜନାରେ ରାସ୍ତା ଘାଟ ନିର୍ମାଣ ହୋଇ ପାରୁ ନାହିଁ। ଏହି ଗ୍ରାମ ଗୁଡ଼ିକ ରାଜସ୍ବ ଗ୍ରାମର ମାନ୍ୟତା ପାଇ ପାରି ନ ଥିବାରୁ ଏଠିକାର ପାରମ୍ପରିକ ଅଧିବାସୀମାନଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬ ବଳରେ ଜମିପଟ୍ଟା ପାଇ ପାରି ନାହାନ୍ତି। ଏହି ଗ୍ରାମ ୪ ଗୋଟି ଗ୍ରାମ ରାଜସ୍ବ ଗ୍ରାମର ମାନ୍ୟତା ପାଇ ପାରି ନ ଥିବାରୁ “ବସୁନ୍ଦରା” ଯୋଜନା କାର୍ଯ୍ୟକାରୀ କରା ଯାଇ ପାରୁ ନାହିଁ, ଏବଂ ହଦଗଡ ନଦୀବନ୍ଧ ଦ୍ଵାରା ବିସ୍ଥାପିତ ହୋଇଥିବା ପରିବାର ଗୁଡ଼ିକ ଆଜି ପର୍ଯ୍ୟନ୍ତ ଜମିପଟ୍ଟା ପାଇବାରୁ ବଞ୍ଚିତ ହୋଇ ଅଛନ୍ତି। ଗ୍ରାମରେ ରାସ୍ତା ଘାଟ ସମସ୍ୟା ଥିବାରୁ କୌଣସି ବ୍ୟକ୍ତି ଅସୁସ୍ଥ କିମ୍ବା ପ୍ରସବ ଯନ୍ତ୍ରଣା ହେଲେ ଗ୍ରାମ ପାଖରୁ ଖଟିଆ ଦ୍ଵାରା ବୋହା ହୋଇ ଦୀର୍ଘ ୮/୯ କି.ମି ପର୍ଯ୍ୟନ୍ତ ଦୂରତା “କାଠକୋଟା” ଗ୍ରାମ ପର୍ଯ୍ୟନ୍ତ ଯିବା ପରେ ହିଁ ଡାକ୍ତରଖାନା ନିମନ୍ତେ ଆମ୍ବୁଲାନ୍ସ ଧରି ପାରନ୍ତି । ଅନେକ ସମୟରେ ଗ୍ରାମବାସୀ ଡଙ୍ଗା ଦ୍ଵାରା ହଦଗଡ଼ ଡ୍ୟାମ ଅତିକ୍ରମ କରି ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଡ଼ାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନିର୍ଭର କରନ୍ତି। ସେହିପରି ଅପହଞ୍ଚ ଇଲାକାରେ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ “ଦଲକି” ଗ୍ରାମରେ ଏକ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ, “ଦଲକି” ଠାରେ ଏକ ଉଚ୍ଚ ବିଦ୍ୟାଳୟ ସ୍ଥାପନ, ହଦଗଡ ପଞ୍ଚାୟତ ଛକଠାରୁ ଦଲକି ଗ୍ରାମକୁ ମୁଖ୍ୟ ମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଆଦି ଦାବି କରିଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନ ପରେ ମୁଖ୍ୟ ମନ୍ତ୍ରୀଙ୍କ ସ୍ଵତନ୍ତ୍ର ଶାସନ ସଚିବ(ସାଧାରଣ ପ୍ରଶାସନ ଓ ସାଧାରଣ ବିଭିଗ) ସୁକାନ୍ତ କୁମାର ବେହେରାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ , ଏହି ୪ ଗୋଟି ଗ୍ରାମକୁ ରାଜସ୍ଵ ଗ୍ରାମର ମାନ୍ୟତା ଦେବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଚିବ ଆନ୍ଦୋଳନକାରୀଙ୍କୁ ଆଶ୍ଵାସନା ଦେଇଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ତେବେ, ଦାବି ପୂରଣ ନ ହୋଇ ପାରିଲେ ଆସନ୍ତା ଗ୍ରୀଷ୍ମ କାଳୀନ ବିଧାନସଭା ଅଧିବେସନ ସମୟରେ ପଞ୍ଚାୟତବାସୀ ପୁନର୍ବାର ଓଡ଼ିଶା ବିଧାନସଭା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ପଞ୍ଚାୟତବାସୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିବା ଏହି ବିକ୍ଷୋଭ ଏବଂ ଗଣଧାରଣାରେ ବିଶିଷ୍ଟ ସମାଜସେବୀ ଗାମାଏ ରୀମିଲ ସିଂ ଗୋଇପାଈ , ନାରାୟଣ ହୋ, ରବି ଦେହୁରୀ, ବିଦ୍ୟାଧର ସେନାପତି, ମାଳତୀ ଲେୟାଙ୍ଗି, ଶାନ୍ତି ଦଣ୍ଡପାଟ, ୱାର୍ଡ ମେମ୍ବର ଜୁମ୍ବାଲ ହୋ, ବୁୟିଁ ଲାମାୟେ, ନବ ଖଟୁଆ, ବିନନ୍ଦା ଦେହୁରୀ, ତେପନ ବଦ୍ରା, ଆର୍ତ ଦେହୁରୀ, ପାଇକରାୟ ହୋ, ଅନାମ ପ୍ରଧାନ, ରାମଚନ୍ଦ୍ର କକୁଣ୍ଡିଆ, ନବୀନ ମୁଣ୍ଡୁରୀ, ଜାମାଦାର ବାଲମୁଚୁ, ରମେଶ ବିରୁଆଙ୍କ ସମେତ ହଦଗଡ ଗ୍ରାମ ପଞ୍ଚାୟତର ଶତାଧିକା ପୁରୁଷ ଓ ମହିଳା ଅଂଶଗ୍ରହଣ କରିଥିଲେ।


