ଆଠଗଡ଼ କମ୍ୟୁନିଟି ହଲ୍ ଉଚ୍ଛେଦ ଘଟଣା: ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ, (ଓ୍ବାଇଏନଏସ): ବୁଲ୍ଡୋଜର୍ ଜଷ୍ଟିସ୍ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶକୁ ଉଲଂଘନ କରି କମ୍ୟୁନିଟି ହଲ୍ ଭାଙ୍ଗିବା ଘଟଣାରେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତତ୍କାଳିନ ତହସିଲଦାରଙ୍କ ଠାରୁ ୨ ଲକ୍ଷ ଟଙ୍କା ଆଦାୟ କରାଯିବ। ତହସିଲଦାରଙ୍କ ଦରମାରୁ ୨ ଲକ୍ଷ ଟଙ୍କା ଆଦାୟ କରାଯିବ ଏବଂ ବାକି ୮ ଲକ୍ଷ ଟଙ୍କା ରାଜ୍ୟ ସରକାର ୮ ମାସ ମଧ୍ୟରେ ପ୍ରଦାନ କରିବେ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। କେବଳ ସେତିକି ନୁହେଁ ଏହିପରି ଘଟଣା ଯେପରି ପୁନର୍ବାର ନଘଟେ ସେନେଇ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ସଚେତନ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ତତ୍କାଳୀନ ଆଠଗଡ଼ ତହସିଲଦାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏସଂପର୍କିତ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ବୁଲ୍ଡୋଜର୍ ଜଷ୍ଟିସ ଏବେ ସମସ୍ୟା ସୃଷ୍ଟି କରିଛି। କାର୍ଯ୍ୟପାଳିକା ଆଇନର ଅନୁସରଣ ନକରି, ବୁଲଡୋଜର ବ୍ୟବହାର କରି ସାମ୍ବିଧାନିକ ନିୟମର ଉଲଂଘନ କରୁଛି। ପ୍ରଶାସନ ଯଦି ଏହାର ବିପରୀତ କାର୍ଯ୍ୟକରେ ତାହେଲ ଏହା ବଡ଼ ସମସ୍ୟା ସୃଷ୍ଟି କରିବ। ଉଚ୍ଛେଦ ସଂପର୍କରେ ସୁପ୍ରିମକୋର୍ଟଙ୍କ ମାର୍ଗଦର୍ଶିକା ରହିଛି। ତେବେ ଏହି ମାଗଦର୍ଶିକା ଜାରି କରିବା ପାଇଁ ମୁଖ୍ୟ ଶାସନସଚିବଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। କୁମାରପୁର ଶାସନ ଯୁବଗୋଷ୍ଠୀ କେନ୍ଦ୍ର ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ବିଚାର କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍.କେ. ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ଜଣାଯାଇଛି ଯେ, ଆଠଗଡ଼ ତହସିଲ୍ର ବାଳିପୁର ମୌଜାରେ ଆବେଦନକାରୀମାନେ ପାଞ୍ଚ ଡିସିମିଲ୍ ଜମିରେ ଏକ କମ୍ୟୁନିଟି ହଲ୍ ତିଆରି କରିଥିଲେ। ଉକ୍ତ ଜମିଟି ରକ୍ଷିତ ଅନାବାଦି ଥିଲା। ୧୯୮୫ ମସିହାରେ ଏହି ଘରର କିଛି ଅଂଶ ନିର୍ମାଣ କରାଯାଇଥିଲା। ୧୯୯୯ ବାତ୍ୟା ପରେ ଏହାର ମରାମତି କରାଯାଇଥିଲା। ୨୦୧୬-୧୮ ମସିହାରେ ‘ଆମ ଗାଁ-ଆମ ବିକାଶ’ ଏବଂ ଏମ୍ଏଲ୍ଏ ଅନୁଦାନ ପାଣ୍ଠିରେ ଉକ୍ତ ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା। ଏହି କମ୍ୟୁନିଟି ହଲ୍ ବିଭିନ୍ନ ସମୂହ କାର୍ଯ୍ୟରେ ବ୍ୟବହାର ହେଉଥିଲା। ଘର ନିର୍ମାଣ ବେଳେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ବିରୋଧ କରାଯାଇନଥିଲା। କିନ୍ତୁ ଅଚାନକ ୨୦୨୪ ଜୁଲାଇରେ ଏହି ଘରକୁ ନେଇ ଜବରଦଖଲ କରାଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୪ ଅଗଷ୍ଟ ୧୬ ତାରିଖରେ ହାଇକୋର୍ଟ ଆବେଦନକାରୀଙ୍କୁ ବିଭାଗୀୟ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହ ମାମଲର ଅନ୍ତ ଘଟାଇଥିଲେ। ମାତ୍ର ସ୍ମାରକପତ୍ରକୁ ପ୍ରଶାସନ ପକ୍ଷରୁ ଖାରଜ କରି ଦିଆଯାଇଥିଲା। ଏହି ଅଦେଶ ବିରୋଧରେ ଆବେଦନକରୀମାନେ ପୁନର୍ବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହଇକୋର୍ଟ କୌଣସି କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ଆଦେଶ ସତ୍ତ୍ୱେ ପ୍ରଶାସନ ୨୦୨୪, ଡିସେମ୍ବର 5ରେ ପୁନର୍ବାର ଉଚ୍ଛେଦ ନୋଟିସ୍ କରିଥିଲା। ତେବେ ପୁନର୍ବାର ଆବେଦନକାରୀମାନେ ହାଇକୋର୍ଟକୁ ଆସିଥିଲେ। ହାଇକୋର୍ଟ ୨୦୨୪ ଡିସେମ୍ବର ୧୩ରେ ପୂର୍ବ ଅଦେଶ କାଏମ୍ ରଖିଥିଲେ। କୋର୍ଟଙ୍କ କଟକଣା ସତ୍ତ୍ୱେ ସେହି ଦିନ ଆଠଗଡ଼ ଉପଜିଲ୍ଲାପାଳ ପୁନର୍ବର ଉକ୍ତ ଗୃହ ଭାଙ୍ଗିବା ପାଇଁ ନୋଟିସ୍ ଜାରି କଲେ। ୧୪ ତାରିଖ ଦିନ ଘର ଭଙ୍ଗାଯିବ ବେଲି ସ୍ଥିର କରାଯାଇଥିଲା। ସ୍ଥାନୀୟ ତହସିଲଦାର ଉଚ୍ଛେଦ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିଥିଲେ। ୧୪ ତାରିଖ ସକାଳ ୧୦ଟା ବେଳେ ଆବେଦନକାରୀଙ୍କୁ ପକ୍ଷ ରଖିବାକୁ କୌଣସି ସୁଯୋଗ ନଦେଇ ଉକ୍ତ ଘରକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଗଲା। ତହସିଲଦାରଙ୍କ ଏଭଳି କାର୍ଯ୍ୟକୁ ନେଇ ହଇକୋର୍ଟ କଡା ଭର୍ତ୍ସନା କରିଛନ୍ତି। ଅଦାଲତଙ୍କ କଟକଣା ସତ୍ତ୍ୱେ ପ୍ରଶାସନର ଏଭଳି କାର୍ଯ୍ୟ ‘ବୁଲଡୋଜର ଜଷ୍ଟିସ୍’ ବୋଲି ହାଇକୋର୍ଟ ମତ ଦେଇଛନ୍ତି।