ହୋଟେଲ ମାଲିକଙ୍କୁ ହତ୍ୟା ଉଦ୍ୟମ ଘଟଣା : ପୁଣି ଜଣେ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜଳଖିଆ ହୋଟେଲ ମାଲିକ ଭଗବାନ ମିଶ୍ର ଓ ତାଙ୍କ ଭାଇ ରବୀନ୍ଦ୍ର ମିଶ୍ର ଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ତଦନ୍ତକାରୀ ଅଧିକାରୀ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଜଗବନ୍ଧୁ ବାର୍ଲା ମଙ୍ଗଳବାର ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଭ୍ରମରପୁର ଗ୍ରାମର ମୃତ୍ୟୁଞ୍ଜୟ ମହାରଣା । କେ.ନୂଆଗାଁ ଥାନା ମାମଲା ନଂ.୩୮୭/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ଏହି ଘଟଣାରେ ସୋମବାର ବଜ୍ର ଗୁମ୍ମା ଗ୍ରାମର ସନ୍ତୋଷ ମହାରଣା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ଏନେଇ ୨ ପରିବାର ମଧ୍ୟରେ ଚାପା ଉତ୍ତେଜନା ଲାଗିରହିଛି। ଗ୍ରାମର ବଜାର ସାହି ରାସ୍ତା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ରେ ପୁଲିସ ପ୍ରଶାସନ ର ପାତର ଅନ୍ତର ନୀତି ଯୋଗୁଁ ଗ୍ରାମରେ ଅଶାନ୍ତି ଲାଗି ରହିଛି।କିଛି ବ୍ୟକ୍ତି ପୁଣି ଥରେ ରାସ୍ତା ସମ୍ମୁଖ ସରକାରୀ ଜମି କୁ ଜବରଦଖଲ କରି ପିଣ୍ଡା ଓ ସିଡି ପାହାଚ ନିର୍ମାଣ କରିଥିବା ବେଳେ ହୋଟେଲ ମାଲିକ ଭଗବାନ ମଧ୍ୟ ଭଙ୍ଗା ଯାଇଥିବା ଅଂଶ କୁ ପୁଣି ନିର୍ମାଣ ମରାମତି କରିବା ରୁ ଗ୍ରାମର ନାରାୟଣ ମହାରଣା ପ୍ରତିବାଦ କରିଥିଲେ।ଏହି ଘଟଣାକୁ କେନ୍ଦ୍ରକରି ଉଭୟ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଉଭୟ ପକ୍ଷର ଏକାଧିକ ବ୍ୟକ୍ତି ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।


