ନାଉଗାଁ ଥାନା କର୍ମଚାରୀଙ୍କ ଉପରେ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ: ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୋଲିସ

ନାଉଗାଁ, (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନାରେ ଶୁକ୍ରବାର ଏକ ବ୍ୟକ୍ତି ହଠାତ ଥାନାରେ ପହଂଚିଥିଲେ। ସଙ୍ଗରେ ଏକ ପେଟ୍ରୋଲ ବୋତଲ ଓ ଦିଆସିଲ ନେଇଥିଲେ। କେହି କିଛି କହିବା ପୂର୍ବରୁ ଥାନାରେ କାର୍ଯ୍ୟରତ କର୍ମଚାରୀ ଶ୍ରୀକାନ୍ତ କଅଁରଙ୍କ ଉପରେ ପେଟ୍ରୋଲ ଢାଳି ଦିଆସିଲ ମାରିବାକୁ ଉଦ୍ୟମ କରିଥିଲେ। ସଙ୍ଗେ ସଙ୍ଗେ ଥାନାରେ କାର୍ଯ୍ୟ କରୁଥିବା ଅନ୍ୟ କର୍ମଚାରୀମାନେ ବ୍ୟକ୍ତି ଜଣଙ୍କୁ ଧରି ନେଇଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ହେଲେ ଉକ୍ତ ଥାନା ଅନ୍ତର୍ଗତ ଓଷକଣା ପଂଚାୟତ ନୟାସିଙ୍ଗାଡା ଗ୍ରାମର ଭଗବାନ ସ୍ୱାଇଁ। ଭଗବାନ ଥାନା କର୍ମଚାରୀଙ୍କୁ ମାରିବାକୁ ଉଦ୍ୟମ କରୁଥିବା ଯୋଗୁ ତାଙ୍କ ନାମରେ ଥାନା ପକ୍ଷରୁ ୨୦୦/୨୦୨୫ରେ ମାମଲା ରୁଜୁ କରାଯିବା ସହ ତାଙ୍କୁ ଡାକ୍ତରୀ ମଇନା କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। ସେହିପରି ବ୍ୟକ୍ତି ଜଣଙ୍କ କାହିଁକି ପେଟ୍ରୋଲ ଢାଳିଥିଲା ସେ ବିଷୟରେ ଥାନାଧିକାରୀ ପ୍ରଦୀପ୍ତ କାନୁନଗୋ ସ୍ପଷ୍ଟ ସୂଚନା ପ୍ରଦାନ କରିନାହାନ୍ତି। ସେ ପୂର୍ବରୁ ଅନେକ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ର୍ରମଣ କରି ଜେଲ ଯାଇଥିବା କାନୁନଗୋ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ ୧୯୯୪ମସିହା ପାଖାପାଖି ଭଗବାନଙ୍କର ଘରକୁ କୌଣସି ଦୁର୍ବୃତ ପୋଡି ଦେଇଥିଲେ। ଘର ପୋଡି ସହାୟତା ପାଇଁ ଭଗବାନ ପ୍ରଶାସନିକ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ତାଙ୍କୁ କୌଣସି ସାହାର୍ଯ୍ୟ ମିଳି ନଥିଲା। ଭଗବାନ ସାହାର୍ଯ୍ୟ ପାଇଁ ବିଡିଓଙ୍କୁ ପିଟିସନ ଦେବା ସହ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପରେ ନ୍ୟାୟ ପାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅଭିଯୋଗ କରିଥିଲେ। ଉକ୍ତ ଘଟଣାର ତଦନ୍ତ କରିବା ପାଇଁ ତତ୍କାଳିନ ଜିଲ୍ଲାପାଳ ୟାମିନୀ ଷଢଙ୍ଗୀ ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବ୍ଲକ ଅଧିକାରୀ ତଦନ୍ତ ପାଇଁ ଘଟଣାସ୍ଥଳକୁ ଯାଇଥିବା ବେଳେ ସେଠାରେ ଭଗବାନ ତାଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଭଗବାନଙ୍କ ନାମରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଭଗବାନ ନ୍ୟାୟ ନ ପାଇବାରୁ ୨୦୨୩ ମସିହାରେ ଓଡିଶା ମାନବ ଅଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ