ନିଜ ଘର ପୋଡ଼ି ଅନ୍ୟକୁ ଫସାଇବାକୁ ଉଦ୍ୟମ: ଅଭିଯୁକ୍ତ ଥାନାରେ ଅଟକ

କୋଣାର୍କ (ଗଣେଶ ଚନ୍ଦ୍ର ବେହେରା)- କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ପଞ୍ଚାୟତ ସୁଆର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଘଟିଛି ଏକ ଭୟଙ୍କର ଅଭାବନୀୟ ଘଟଣା। ଗ୍ରାମର ଜଣେ ଅସାମାଜିକ ବ୍ୟକ୍ତି ନିଜ ଘର ପୋଡ଼ି ଅନ୍ୟକୁ ଫସାଇବାକୁ ଉଦ୍ୟମ କରିଥିବା ବେଳେ, ନିକଟରେ ଥିବା ୫ବଖରା ଚାଳ ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇଛି। ଏନେଇ କୋଣାର୍କ ପୋଲିସ୍ ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।  ସୁଚନା ଅନୁଯାୟୀ ସୁଆର ଗ୍ରାମର ପୂର୍ବରୁ ଅନେକ ମାମଲାରେ ସଂପୃକ୍ତ ଥିବା ଅସାମାଜିକ ବ୍ୟକ୍ତି ଦିବାକର ମଲ୍ଲିକ ସେହି ଗ୍ରାମର ସରୋଜ ମଲ୍ଲିକ ସହ ରବିବାର ଝଗଡ଼ା କରିଥିଲା। ସରୋଜ ମଲ୍ଲିକକୁ ଫସାଇବକୁ ଯାଇ ସେ ନିଜର ଚାଳ ଘରୁ ଜିନିଷ ପତ୍ର କାଢି ନେଇ ବିଳମ୍ବିତ ରାତିରେ ନିଆଁ ଲଗାଇ ଦେଇଥିଲା। ଯାହା ଫଳରେ ଘରକୁ ଲାଗି ଥିବା ୫ଜଣ ଗରିବ ଲୋକଙ୍କ ୫ବଖରା ବ୍ୟବହୃତ ଚାଳ ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଦୁଇ ଦଳିତ ଅସହାୟ ମହିଳା ପରିବାରଙ୍କ ଘରେ ଥିବା ସମସ୍ତ ଆସବାବପତ୍ର, ବାସନ ଓ ରୋଷେଇ ସାମଗ୍ରୀ, ସୁନା ରୂପା ଗହଣା ଗାଣ୍ଠି, ପାଠ ପଢା ବହିପତ୍ର, ଜରୁରୀ କାଗଜପତ୍ର, ଧାନ ଚାଉଳ, ସାଇକେଲ, ସିଲାଇ ମେସିନ, ଗ୍ୟାସ ଚୁଲା ଓ ଟାଙ୍କି ସହ ନଗଦ ଲକ୍ଷେ ଟଙ୍କା ପୋଡ଼ି ପାଉଁଶ ହୋଇଯାଇଛି। ସରସ୍ଵତୀ ମଲ୍ଲିକ ଓ ପିଙ୍କି ମଲ୍ଲିକଙ୍କ ଘର ସହ ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। କିଛି ବି ବ୍ୟବହାର ପାଇଁ ନାହିଁ। ଏଥି ସହିତ ଜୟରାମ ମଲ୍ଲିକ, ହାଡିବନ୍ଧୁ ମଲ୍ଲିକ ଓ ସରୋଜ ମଲ୍ଲିକଙ୍କ ଏକ ଏକ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଯାହା ଏକ ଭୟଙ୍କର ଅଭାବନୀୟ ଘଟଣା ବୋଲି ସ୍ଥାନୀୟ ଅଞ୍ଚଳରେ ଦୁଃଖ ଖେଳିଯାଇଛି।  ଏନେଇ କୋଣାର୍କ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତିକରି କୋଣାର୍କ ଥାନା ଏଏସଆଇ ସନ୍ତୋଷ ସାହୁ ଓ ସୁବାସିନି ସାହୁ ଘଟଣା ସ୍ଥଳରେ ପହଞ୍ଚି ପଚରା ଉଚରା କରିବା ସହ ତଦନ୍ତ ଜାରି ରଖିଛନ୍ତି। ଅଭିଯୁକ୍ତ ଦିବାକର ମଲ୍ଲିକ ଥାନାରେ ଅଟକ ରଖାଯାଇଛି। ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ଦୁଇ ଅସହାୟ ମହିଳାଙ୍କ ପରିବାରକୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିବା ବେଳେ ତହସିଲ ପ୍ରଶାସନ ଓ ଚିତ୍ରେଶ୍ୱରି ରାଜ୍ଵସ ନିରୀକ୍ଷକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। କାକଟପୁର ବିଡ଼ିଓ ଓ ପୁରୀ ଜିଲ୍ଲାପାଳ ଗୁରୁତ୍ଵ ଭାବି ଦୁଇ ମହିଳା ପରିବାରକୁ ଅନ୍ତଦ୍ୱୟ ଯୋଜନାରେ ଗୃହ ଯୋଗାଇ ଦେବାକୁ ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ ଦାବି କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ