ହତ୍ୟା ଉଦ୍ୟମ ଘଟଣା :୧ ମାସ ପରେ ଫେରାର ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମରେ ପୂର୍ବଶତ୍ରୁତା କୁ କେନ୍ଦ୍ରକରି ଗ୍ରାମର ନିକୁ ଓରଫ ନରେନ୍ଦ୍ର ପ୍ରଧାନ ଙ୍କୁ ଗତ ନଭେମ୍ବର ୨ ତାରିଖ ସକାଳ ପ୍ରାୟ ୯ ଟାରେ ହତ୍ୟା ଉଦ୍ୟମ କରାଯାଇଥିଲା।ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗ୍ରାମର ଜେ.ଉଗ୍ରସେନ ଙ୍କୁ ଦିଗପହଣ୍ଡି ପୋଲିସ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଥାନା ମାମଲା ନଂ.୩୯୬/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି । ନରେନ୍ଦ୍ର ଗ୍ରାମର ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ନିକଟ ପୋଖରୀ କୁ ଗାଧୋଇବା ପାଇଁ ଯାଉଥିବା ବେଳେ ତାଙ୍କୁ ଉଗ୍ରସେନ ଓ ଅନ୍ୟ ଗାଁ ର ଜଣେ ସହଯୋଗୀ ପୂର୍ବଯୋଜନା ପ୍ରକାରେ ସଂଘବଦ୍ଧ ଭାବେ ହତ୍ୟା ଉଦ୍ୟମ କରିଥିଲେ।ନରେନ୍ଦ୍ର ଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେ ଚିକିତ୍ସା ହୋଇ ଫେରିବାପରେ ଥାନାରେ ଏତଲା ଦେଇଥିଲେ।ଏତଲା ପ୍ରକାରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରିଥିଲେ। ଏହି ଘଟଣାର ସମାଧାନ ପାଇଁ ଗ୍ରାମର କିଛି ଭଦ୍ରବ୍ୟକ୍ତି ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା।ଗିରଫ ଭୟରେ ଉଗ୍ରସେନ ଗାଁ ରୁ ଫେରାର ହୋଇଯାଇଥିଲା।ସେ ଗାଁ କୁ ଫେରିଥିବା ଖବରପାଇ ତଦନ୍ତକାରୀ ଅଧିକାରୀ ଏଏସଆଇ କହ୍ନେଇ ମିର୍ଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।


