ପୂର୍ବ ଶତ୍ରୁତାରୁ ହତ୍ୟା ଉଦ୍ୟମ ଘଟଣା ; ଅଭିଯୁକ୍ତ ବାପା ଗିରଫ,ପୁଅ ଫେରାର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ପୁଲିସ ଶନିବାର କେ.ନୂଆଗାଁ ଥାନା ମେଘଝୋଳି ଗ୍ରାମର ନରସିଂହ ଗୌଡ଼ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୨୪୬/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଶୁକ୍ରବାର ସକାଳ ପ୍ରାୟ ୮ ଟାରେ କଇଠଖଣ୍ଡି ଗ୍ରାମର ବିନ ଗୌଡ଼ ମେଘଝୋଳି – କଇଠଖଣ୍ଡି ଗ୍ରାମ ରାସ୍ତା ର ମା ‘ଯୋଗାଡ଼ଦିଆ ଠାକୁରାଣୀ ମନ୍ଦିର ନିକଟରେ ଗାଈ ପଲ ଚରାଉଥିବା ବେଳେ ଅଭିଯୁକ୍ତ ନରସିଂହ ଏବଂ ତାଙ୍କ ପୁଅ କୁରେଶୁ ଗୌଡ଼ ସେଠାରେ ପହଞ୍ଚି ଆମ ଜମିରେ କାହିଁକି ଗାଈ ଛାଡ଼ିଚୁ।ଗାଈ ଆମ ଫସଲ ଖାଇଦେଲା କହିଥିଲେ। ବିନ ଗୌଡ଼ ମୋ ଗାଈ ପଲ ତୁମ ଜମିକୁ ଯାଇନାହିଁ କହିବାରୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।ଏଥିରେ ଉତ୍ତେଜିତ ହୋଇ ନରସିଂହ ଏକ ଠେଙ୍ଗା ରେ ବିନ ଙ୍କ ମୁଣ୍ଡକୁ ଆଘାତ କରିଥିଲେ। କୁରେଶୁ ମଧ୍ୟ ତାଙ୍କୁ ମାଡ଼ ମାରି ଚାଲିଯାଇଥିଲେ। କିଛି ବ୍ୟକ୍ତି ସେଠାରେ ପହଞ୍ଚି ଚେତାଶୂନ୍ୟ ଅବସ୍ଥାରେ ବିନ ଙ୍କୁ ଉଦ୍ଧାର କରି ଘରକୁ ନେଇଥିଲେ।ଏନେଇ ଏତଲା ହେବାପରେ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ବାପ,ପୁଅ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।ତଦନ୍ତକାରୀ ଅଧିକାରୀ ହତ୍ୟା ଉଦ୍ୟମ ରେ ବ୍ୟବହୃତ ଠେଙ୍ଗା କୁ ଜବତ କରିବାସହ ଅଭିଯୁକ୍ତ ନରସିଂହ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ କୁରେଶୁ ଗିରଫ ଭୟରେ ଫେରାର ଥିବା ଜଣାପଡିଛି।