ମା ଓ ଦୁଇ ଝିଅ ଙ୍କୁ ହତ୍ୟା ଉଦ୍ୟମ: ଅଭିଯୁକ୍ତ ଗିରଫ

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ  ର କୁମାରୀ ସେଠୀ(୬୦) ଏବଂ ତାଙ୍କ ଦୁଇ ଅବିବାହିତ କନ୍ୟା ସବିତା ସେଠୀ(୩୫),ଝିଲି ସେଠୀ(୨୫) ଙ୍କୁ ନିକଟସ୍ଥ ସାନଡୁମ୍ବୁଳା ଗ୍ରାମର ବାଳକୃଷ୍ଣ ପାତ୍ର ଛୁରୀ ରେ ଘାତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଶନିବାର ରାତି ପ୍ରାୟ ସାଢ଼େ ୧୦ ଟାରେ ସ୍ବର୍ଗତ ପାଣ ସେଠୀ ଙ୍କ ସ୍ତ୍ରୀ କୁମାରୀ ତାଙ୍କ ଦୁଇ ଝିଅ ସହ ରାତ୍ରି ଭୋଜନ ସାରି ଶୋଇଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କ ଘରର କବାଟ ବାଡ଼ାଇ ଥିଲେ।କୁମାରୀ କବାଟ ଖୋଲିବା ପରେ ବାଳକୃଷ୍ଣ ଘର ଭିତରେ ପଶି ଅତର୍କିତ ଭାବେ ଏକ ଧାରୁଆ ଛୁରୀ ରେ ତାଙ୍କ ବେକ କୁ କାଟି ଦେଇଥିଲେ।ଦୁଇ ଝିଅ ନିଦରୁ ଉଠି ମା କୁ ଉଦ୍ଧାର କରିବା ବେଳେ ସେ ଦୁହିଁଙ୍କ ବେକ କୁ ମଧ୍ୟ ଛୁରୀ ରେ କାଟି ଚମ୍ପଟ ମାରିଥିଲେ।ମା ଓ ଦୁଇ ଝିଅ ଙ୍କ କାନ୍ଦ ବୋବାଳି ଶୁଣି ପାଖ ପଡୋଶୀ ଧାଇଁ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ।ଏନେଇ ସୂଚନା ପାଇବା ପରେ ଦିଗପହଣ୍ଡି ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ଦିଗପହଣ୍ଡି ମେଡିକାଲ ରେ ଭର୍ତ୍ତି କରିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ସବିତା ଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଜଣାପଡିଛି। ଏହି ସମ୍ବେଦନଶୀଳ ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣାରେ ବାଳକୃଷ୍ଣ ସମ୍ପୃକ୍ତ ଥିବା ସୂଚନା ମିଳିବା ପରେ ପୁଲିସ ଟିମ୍ ବିଳମ୍ବିତ ରାତି ରେ ବିଭିନ୍ନ ସନ୍ଦିଗ୍ଧ ଇଲାକାରେ ଚଢାଉ କରି ଅଭିଯୁକ୍ତ ଙ୍କୁ ଗିରଫ କରି ଥାନାକୁ ଉଠାଇ ଆଣିଥିଲେ। ପଚରା ଉଚୁରା କରିବା ପରେ ତାଙ୍କୁ ଥାନାରେ ଅଟକ ରଖାଯାଇଛି। ଅଭିଯୁକ୍ତ ନିୟମିତ ବ୍ୟବଧାନରେ ରାତି ଅଧରେ କୁମାରୀ ଙ୍କ ଘରକୁ ଯାଇ କବାଟ ବାଡାଇ ହଇରାଣ ହରକତ କରୁଥିଲେ।କିଛିଦିନ ପୂର୍ବେ କୁମାରୀ ଙ୍କ ସାନ ଝିଅ ଝିଲି ଅଭିଯୁକ୍ତଙ୍କ ଘରକୁ ଯାଇ ପ୍ରତିବାଦ କରିବା ସହ ତାଙ୍କ ପରିବାର ଲୋକଙ୍କ ଆଗରେ ଅପମାନ କରି ଗାଳି କରିବା ସହ ଧମକ ଦେଇଥିଲେ। ବାଳକୃଷ୍ଣ ଙ୍କୁ ଅପମାନ ଅସହ୍ୟ ହୋଇଥିଲା। ସେ ଏହାର ପ୍ରତିଶୋଧ ନେବାପାଇଁ ସୁଯୋଗ ଖୋଜୁଥିଲେ। ଶନିବାର ରାତି ରେ ନିଶାସକ୍ତ ଭାବେ ସେ ତାଙ୍କ ଘରେ ପଶି ଛୁରୀ ରେ ଝିଲି ଓ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିବା ପୁଲିସ ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ପୁଲିସ  ତାଙ୍କ ନିକଟରୁ ଘଟଣାରେ ବ୍ୟବହୃତ ରକ୍ତ ଲଗା ଛୁରୀ ଜବତ କରିଛନ୍ତି।ମା କୁମାରୀ ଙ୍କ ଏତଲା କ୍ରମେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୨୬/୨୬ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିବା ବେଳେ ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ