ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା :ଜଣେ ଅଭିଯୁକ୍ତକୁ କୋର୍ଟ ଚାଲାଣ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିନ୍ଦୂରପୁର ଗ୍ରାମର ବାପୁନା ନାୟକ ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଦାମୋଦର ନାୟକ ଙ୍କୁ ସୋମବାର ତଦନ୍ତକାରୀ ଅଧିକାରୀ ପାଟପୁର ଥାନା ଏସ.ଆଇ ଶ୍ରୀନିବାସ ଦାସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୫୧୪/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଶନିବାର ବାପୁନା ତାଙ୍କ ଶ୍ବଶୁର କୃଷ୍ଣ ନାୟକ ଙ୍କ ସହ ପୋଡ଼ାମାରି ଗ୍ରାମରେ କାମସାରି ଗାଁ କୁ ଫେରୁଥିବା ବେଳେ ସିନ୍ଦୂରପୁର ଗାଁ ନିକଟରେ ଦାମୋଦର ଏବଂ ତାଙ୍କ ଭାଇ ସନାତନ ନାୟକ ବାଇକ କୁ ଅଟକାଇ ବାପୁନା ଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ।ଶ୍ବଶୁର ଛଡାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ।ଏପରିକି ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ବାପୁନା ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ସେ ଚିକିତ୍ସାଧୀନ ଥିବା ଜଣାପଡିଛି।ଗ୍ରାମରେ ଏମଜିଏନଆରଜିଏସ ଯୋଜନାରେ କାମ ଚାଲିଥିବା ବେଳେ ନିମ୍ନ ମାନର କାମ ନେଇ ବାପୁନା ଅଭିଯୋଗ କରି ଆସୁଥିଲେ।ଏନେଇ ପୂର୍ବରୁ ମଧ୍ୟ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।ସନାତନ ଭାଜପା ମଣ୍ଡଳ ସଭାପତି ଥିବା ବେଳେ ବାପୁନା ବିଜେଡ଼ି ସମର୍ଥକ ଅଟନ୍ତି।ଉଭୟ ଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ଲାଗି ରହିଥିଲା। ଘଟଣାଦିନ ସନାତନ ଓ ଦାମୋଦର ଦୁଇ ଭାଇ ପୂର୍ବଯୋଜନା ପ୍ରକାରେ ବାପୁନା ଙ୍କୁ ହତ୍ୟା ଉଦ୍ୟମ କରିଥିବା ନେଇ ତାଙ୍କ ସ୍ତ୍ରୀ ଜ୍ୟୋସ୍ନା ନାୟକ ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତ ଦୁଇ ଭାଇ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ