ଛତ୍ରପୁର ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
ଛତ୍ରପୁର, (ଓ୍ବାଇଏନଏସ):ଗଞ୍ଜାମ ଜ଼ିଲ୍ଲା ଛତ୍ରପୁର ଏନଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଛତ୍ରପୁର ଉପଜିଲ୍ଲାପାଳ ସୁବାଶିଷ ବରାଳ ଯୋଗଦେଇଥିଲେ । ଛତ୍ରପୁର ଏନଏସି ଅଧ୍ୟକ୍ଷା ଶ୍ରମିଷ୍ଠା ପ୍ରଧାନ ସଭାପତିତ୍ବ କରିଥିବା ବେଳେ ଉପାଧ୍ୟକ୍ଷ ଜି. ପାପା ରାଓ ଧନ୍ୟବାଦ ଅର୍ପଣ କରିଥିଲେ।ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ବିବରଣୀ ପାଠ କରିଥିଲେ । ସମସ୍ତ କାଉନସିଲର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ବର୍ଗର ସମାଜସେବା କାର୍ଯ୍ୟରେ ନିୟୋଜିତ ଥିବା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଜ଼ିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଉଦ୍ୟାନ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସହ ସହର ବିଭିନ୍ନ ସ୍ଥାନରେ ପ୍ରକଳ୍ପ ଗୁଡିକର ଉଦଘାଟନ ଓ ଶିଳାନ୍ୟାସ କରାଯାଇଥିଲା । ସେହିପରି ଆଜି ସକାଳରେ ଏନଏସି କାର୍ଯ୍ୟାଳୟ ପରିସରରେ ବିଧାୟକ ଶ୍ରୀ ନାୟକ ପତାକା ଉତ୍ତୋଳନ କରି ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାର ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା ।


