ମହିଳା ନିର୍ଯାତନା ରୋକିବାକୁ ସଚେତନ ସଭା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଆର. ଉଦୟଗିରି ଏସଡିପିଓ ଆଇପିଏସ୍ ରାକେଶ କୁମାର ସାହୁଙ୍କ ଏକ ଭିନ୍ନ ଓ ନିଆରା ପ୍ରୟାସ ଲକ୍ଷ୍ୟ କରାଯାଇଛି. ମହିଳାମାନଙ୍କୁ ନିର୍ଯାତନାରୁ ରୋକିବା ପାଇଁ ଗଜପତିରେ ମହିଳାମାନଙ୍କୁ ସଚେତନ କରାଯାଇଛି । ଦିନକୁ ଦିନ ମହିଳା ଓ ଶିଶୁ ନିର୍ଯ୍ୟାତନା ରାଜ୍ୟରେ ବଢ଼ିବାରେ ଲାଗିଛି. ଯାହା ଫଳରେ ଆଜି ନିଜେ ଆଇପିଏସ୍ ରାକେଶ କୁମାର ସାହୁ ଉଦୟଗିରି ବ୍ଲକର ରାମଗିରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ମହିଳା ଓ ଶିଶୁ ନିର୍ଯ୍ୟାତନାକୁ କିଭଳି ରୋକା ଯାଇ ପାରିବ ସେନେଇ ମହିଳାମାନଙ୍କୁ ସଚେତନ କରାଇଥିଲେ। କିଭଳି ଭାବେ ଛୋଟ ଛୋଟ ଶିଶୁ ମାନଙ୍କୁ ପ୍ରଲୋଭନ ଦେଖାଇ କିଛି ଖଳ ପ୍ରକୃତିର ଲୋକ ଦୁଷ୍କର୍ମ କରି ହତ୍ୟା କରୁଛନ୍ତି ତାହା ସ୍ଵତନ୍ତ୍ର ଭାବେ ବୁଝାଇ ମହିଳାମାନଙ୍କୁ ସଚେତନ କରାଇଥିଲେ। ଏପଟେ ଘରୋଇ ହିଂସା, ସ୍ୱାମୀ ମଦ୍ୟପାନ କରିବା ପରେ ସ୍ତ୍ରୀଙ୍କୁ ମାରପିଟ ସହ କିଭଳି ସମାଜରେ ମହିଳାମାନେ ସୁରକ୍ଷିତ ଭାବେ ରହି ପାରିବେ ତାହା ଉପରେ ମହିଳାମାନଙ୍କ ସହ ଆଲୋଚନା କରିଥିଲେ। ଦୁଷ୍କର୍ମ ବା କିଛି ଦୁର୍ଘଟଣା ଘଟେ ତା ହେଲେ ନିକଟସ୍ଥ ପୋଲିସ୍ ଷ୍ଟେସନରେ ଅଭିଯୋଗ ତୁରନ୍ତ କରିବା ପାଇଁ ନିବେଦନ କରିଥିଲେ। ଯଦି ପୋଲିସ୍ ଷ୍ଟେସନ୍ ଯିବାରେ କୌଣସି ଅସୁବିଧା ହୁଏ ତାହେଲେ ୧୦୯୮ ବା ଜରୁରୀକାଳୀନ ସେବା ୧୧୨ ରେ ଯୋଗାଯୋଗ କରିବା ପାଇଁ କହିଥିଲେ। ସଚେତନ କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟତ୍ରୀ, ସରପଞ୍ଚ, ସମିତିସଭ୍ୟ ୱାର୍ଡ଼ ମେମ୍ବର ଅଞ୍ଚଳର ମହିଳାମାନଙ୍କ ସହ ରାମଗିରି ପୋଲିସ ଉପସ୍ଥିତ ରହିଥିଲେ।


