ରେଳପଥ ନିର୍ମାଣ ପାଇଁ ସଚେତନତା ରାଲି
ବୁଗୁଡା (ଅନୀଲ କୁମାର ମହାରଣା): ଦୀର୍ଘ ପଚାଶ ବର୍ଷ ହେବ ଘୁମୁସର ଓ କନ୍ଧମାଳକୁ ରେଳପଥ ନିର୍ମାଣ କାର୍ଯ୍ଯ କେବଳ ସର୍ଭେରେ ସୀମିତ ରହିଛି। ଦକ୍ଷିଣ ଓଡିଶା ସହ ପଶ୍ଚିମ ଓଡିଶାକୁ ରେଳପଥରେ ସଂଯୋଗ ପାଇଁ ଗୋପାଳପୁର ଠାରୁ ରେଢ଼ାଖୋଲ ଭୟା ଭଞ୍ଜନଗର ଓ ଫୁଲବାଣୀ ରେଳପଥ ଦୀର୍ଘ ବର୍ଷ ହେଲା ସର୍ଭେ ହୋଇ ୨୦୨୧ ମସିହାରେ ଏହି ପକଳ୍ପକୁ ବଜେଟରେ ମଞ୍ଜୁର ହୋଇସାରିଛି। ରେଳ ବିଭାଗ ମନ୍ତ୍ରୀ ଓଡିଶାରୁ ନିର୍ବାଚିତ ହୋଇଥିଲେ ମଧ୍ୟ ଚାରି ବର୍ଷ ପରେ ମଧ୍ୟ ଗୋପାଳପୁର – ରେଢ଼ାଖୋଲ ରେଳପଥ ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ ନକରି ଭଞ୍ଜନଗର ଅଞ୍ଚଳବାସୀଙ୍କୁ ଅଣଦେଖା ଓ ଅବହେଳା ପ୍ରଦର୍ଶନ କରିଛନ୍ତି। ଗୋପାଳପୁର ଠାରୁ ସମ୍ବଲପୁରକୁ ରେଳପଥ ନିର୍ମାଣ ପାଇଁ ବହୁ ସଙ୍ଗଠନ ବାରମ୍ବାର ଧାରଣା, ଅନଶନ ଓ ବନ୍ଦ ପାଳନ କରି ପ୍ରତିବାଦ କରିଛନ୍ତି। କିନ୍ତୁ ପୂର୍ବ ସରକାର କିମ୍ବା ବର୍ତ୍ତମାନ ସରକାର କୌଣସି ପଦକ୍ଷେପ ନେଇ ନାହାଁନ୍ତି। ଏହି ପରିପ୍ରେକ୍ଷୀରେ ଜୁନ ୧୩ ତାରିଖ ଦିନ ବ୍ରହ୍ମପୁର – ସମ୍ବଲପୁର ରେଳପଥ ନିର୍ମାଣ ଦାବୀରେ ଦକ୍ଷିଣ ଓଡିଶା ମିଳିତ କ୍ରିୟାନୁଷ୍ଠାନ କମିଟି, ଓକିଲ ସଂଘ, ସିଭିଲ ସୋସାଇଟି, ଘୁମୁସର ବିକାଶ ପରିଷଦ, ଗଣମାଧ୍ୟମ ସଂଗଠନ ସହ ଶତାଧିକ ଜନସାଧାରଣ ଏକ ବିରାଟ ମୋଟରସାଇକେଲ ରାଲି ବାହାର କରି ବ୍ରହ୍ମପୁରରୁ ଭଂଜକିଶୋର ପ୍ରଧାନଙ୍କ ନେତୃତ୍ବରେ ବାହାରିଥିବା ରାଲିକୁ ପ୍ରଥମେ ବାଉଁଶ ଲୁଣ୍ଡି ଠାରେ ଗ୍ରାମବାସୀଙ୍କ ସହଯୋଗରେ ପୁଷ୍ପଗୁଚ୍ଛ ପ୍ରଦାନ କରି କର୍ମକର୍ତ୍ତାଙ୍କୁ ସ୍ୱାଗତ କରିଥିଲା। ବାଇକ ରାଲି ବାଉଁଶଲୁଣ୍ଡିରୁ ବାହାରି ଚକରା ବିଷୋୟୀ ଛକ, ଖଲା ସାହି, ମେଇନ ରୋଡ ଦେଇ ମହାବୀର ଛକରେ ପହଞ୍ଚିଥିଲା। ଏଥିରେ ସୋମନାଥ ନାୟକ, ବାଳକୃଷ୍ଣ ପଣ୍ଡା, ସରୋଜ ପଟ୍ଟନାୟକ, କ୍ଷିତିଶ ସାହୁ, ଜ୍ୟୋତି ରଞ୍ଜନ ପତି, ପ୍ରକାଶ ଚନ୍ଦ୍ର ସାହୁ, ଅମର ବିଳାସ ବେହେରା, ଜଗବନ୍ଧୁ ଜେନା, ସନ୍ତୋଷ କୁମାର ଜେନା, ସୁଶାନ୍ତ ପାତ୍ର ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। ପ୍ରତ୍ୟେକ ବର୍ଷ ରେଳ ବଜେଟ ଆସୁଥିଲେ ମଧ୍ୟ ସବୁବେଳେ ବହୁ ପ୍ରତୀକ୍ଷିତ ଏହି ରେଳ ପ୍ରକଳ୍ପକୁ ସରକାର ଭୁଲି ଯାଉଛନ୍ତି। ସେହିପରି ସବୁ ପ୍ରକାର ଆନୁଷଙ୍ଗିକ ଭିତ୍ତିଭୂମି ଥିଲେ ସୁଦ୍ଧା ଘୁମୁସର ଜିଲ୍ଲା ଦାବି ପୂରଣ ହୋଇପାରୁନାହିଁ। ଏହି ସଂକ୍ରାନ୍ତରେ ଘୁମୁସର ଅଞ୍ଚଳରେ ଥିବା ବହୁ ସଂଗଠନ ବାରମ୍ବାର ଭୁବନେଶ୍ୱର ଠାରୁ ଦିଲ୍ଲୀ ପ୍ରଯ୍ୟନ୍ତ, ମନ୍ତ୍ରୀଙ୍କ ଠାରୁ ଅଫିସରମାନଙ୍କୁ ଜଣାଇଥିଲେ ସୁଦ୍ଧା ସୁଫଳ ମିଳିନାହିଁ।ସର୍ବଶେଷରେ ସମସ୍ତ ଅନୁଷ୍ଠାନର ଦାବିକୁ ଯଦି ସରକାର ତୁରନ୍ତ ଗ୍ରହଣ ନକରନ୍ତି, ତେବେ ଆଗାମୀ ଦିନରେ ଚବିଶ ଘଣ୍ଟିଆ ବନ୍ଦ ଆନ୍ଦୋଳନ ସହ ତୀବ୍ରତର କରାଯିବ ବୋଲି ନିଷ୍ପତି ହୋଇଅଛି।