ଶିଶୁ ସୁରକ୍ଷା ଆଇନ ଓ ପୋକ୍ସ ସମ୍ବନ୍ଧୀୟ ଆଇନ ସଚେତନତା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲ୍ଲା ଆଇନସେବା ପ୍ରାଧିକରଣ, କେନ୍ଦୁଝର ଆୟୋଜନରେ ଯୋଡା ବ୍ଲକସ୍ଥିତ ଓଡିଶା ଖଣି ନିଗମ କାର୍ଯ୍ୟାଳୟ ପରିସରରେ ଡିଏଭି ପବ୍ଲିକ ସ୍କୁଲ ସଭାଗୃହଠାରେ ଶିଶୁ ସୁରକ୍ଷା ଆଇନ ଓ ଶିଶୁ ଯୌନ ସୁରକ୍ଷା ଆଇନ(ପୋକ୍ସ) ସମ୍ବନ୍ଧୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନସେବା ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତ୍ରିପାଠୀ ଯୋଗଦେଇ ଜିଲ୍ଲା ଆଇନସେବା ପ୍ରାଧିକରଣ ମାଧ୍ୟମରେ ଯେଉଁ ସବୁ ସେବା କାର୍ଯ୍ୟ କରାଯାଉଛି ତାହା ବର୍ଣ୍ଣନା କରିବା ସହ ଶିଶୁ ସୁରକ୍ଷା ଆଇନ ଓ ଶିଶୁ ଯୌନ ସୁରକ୍ଷା ଆଇନ ବିଷୟରେ ଅବତାରଣା କରି ଦୋଷୀକୁ ଦଣ୍ଡବିଧାନ ଓ ପୀଡିତା କ୍ଷତିପୂରଣ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କର ପ୍ରଶ୍ନର ଉତ୍ତର ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଚିନ୍ମୟୀ ଚିତ୍ରାଙ୍ଗଦା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧିକରଣ ସଦସ୍ୟ ତଥା ତଦାଶା ସଂପାଦକ ଅକ୍ଷୟ କୁମାର ଚକ୍ର ପ୍ରାଧିକରଣ ଦ୍ୱାରା ପରିଚାଳିତ ମାଗଣା ଆଇନ ସେବା, ମଧ୍ୟସ୍ଥତା, ସ୍ଥାୟୀ ଲୋକ ଅଦାଲତର କାର୍ଯ୍ୟ ବିଷୟରେ ଜଣାଇଥିବାବେଳେ ବଡବିଲ କୋର୍ଟ ଆଇନଜୀବି ଅକ୍ଷୟ କୁମାର ଧିର ଶିଶୁଙ୍କ ସୁରକ୍ଷା ଉପରେ ଆଇନଗତ ଦିଗ ଅବତାରଣା କରିଥିଲେ । ଓଡିଶା ଖଣି ନିଗମ କନିଷ୍ଠ ପରିଚାଳକ ଅଶା ମଞ୍ଜୁଳା ଟପ୍ପୋ,ଖଣି ପରିଚାଳକ ଗଣେଶ୍ୱର ଭୂୟାଁ,କନିଷ୍ଠ ପରିଚାଳକ ଜଗନ୍ନାଥ ବେହେରା,ପାରିପାଶ୍ୱର୍ିକ ପରାମର୍ଶଦାତା ନୂତନ କୁମାର ରାଉତ,ପିଏଲ୍ଭି ପ୍ରଫୁଲ୍ଲ ଚନ୍ଦ୍ର ପାତ୍ର ଉପସ୍ଥିତ ରହିଥିଲେ । ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରାଧିକରଣ କର୍ମୀ ଓ ଖଣି ନିଗମ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସନେ୍ଦହାତ୍ମକ ଓ ଆଇନ ସମ୍ବନ୍ଧୀୟ ପ୍ରଶ୍ନ ପଚାରି ତାହାର ସନ୍ତୋଷଜନକ ଉତ୍ତର ପାଇଥିଲେ ।