ସାପ କାମୁଡାରେ ଶିଶୁ କନ୍ୟା ମୃତ, ମା’ଗୁରୁତର
କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚକ୍ରୋଡ଼ା ଗ୍ରାମପଞ୍ଚାୟତର ଅର୍ଶୋକା ଗ୍ରାମରେ ସାପ କାମୁଡ଼ାରେ ଜଣେ ୨ ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଶିଶୁର ମା’ ଗୁରୁତର ହୋଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଖବର ନେବାରୁ ଜଣାପଡିଛି ଯେ ଅର୍ଶୋକା ଗ୍ରାମର ଫକୀର ଜେନା ତାଙ୍କ ପତ୍ନୀ ଗୀତାଞ୍ଜଳୀ ଓ ୨ ବର୍ଷର ଶିଶୁ କନ୍ୟା ରାଜଶ୍ରୀ ରାତି ପ୍ରାୟ ୧୦ଟାରେ ଖାଇ ସାରି ଶୋଇଥିଲେ। ଗୋଟିଏ କୋଠରୀରେ ଫକୀର ଶୋଇଥିଲେ। ଅନ୍ୟ କୋଠରୀରେ ଗୀତାଞ୍ଜଳି ଓ ରାଜଶ୍ରୀ ଶୋଇଥିଲେ। ରାତି ପ୍ରାୟ ୩ଟା ସମୟରେ ଗୀତାଞ୍ଜଳି ଚିତ୍କାର କରି କହିଥିଲେ ତାଙ୍କୁ କୌଣସି ଯନ୍ତୁ କାମୁଡି ଦେଲା। ଚିତ୍କାର ଶୁଣି ଫକୀର ପତ୍ନୀ ଓ ଝିଅ ଶୋଇଥିବା କୋଠରୀକୁ ଯାଇଥିଲେ। ସେଠାରେ ଉଭୟ ମା’ ଓ ଝିଅ ଗୁରୁତର ହୋଇଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତର ଶିଶୁ କନ୍ୟାଙ୍କୁ ମୃତ ଘୋଷଣା କରିଥିଲେ। ସାପ କାମୁଡାରେ ଶିଶୁର ମୃତ୍ୟୁ ଘଟିଛି ବୋଲି ଡାକ୍ତର କହିଥିଲେ। ଗୀତାଞ୍ଜଳୀଙ୍କୁ ସାପ କାମୁଡା ଇଞ୍ଜେକସନ ଦିଆଯାଇଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଫକୀର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ହେବା ପରେ ପୋଲିସ ଶିଶୁ କନ୍ୟାର ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।