୭ଦିନ ଧରି ଚାଲିଥିବା ବାଲି ସତ୍ୟାଗ୍ରହ ଓ ଧାରଣା ପ୍ରତ୍ୟାହୃତ
ହାଟଡିହି (ଓ୍ବାଇଏନଏସ): ବୈତରଣୀ ନଦୀର କରଗୋଳା ଘାଟରୁ ବାଲି ଲୁଟ୍ ବିରୋଧରେ ୭ଦିନ ଧରି ଚାଲିଥିବା ବାଲି ସତ୍ୟାଗ୍ରହ ଓ ଧାରଣା ପ୍ରତ୍ୟାହୃତ ହୋଇଛି। ତିନିଦିନ ଭିତରେ ପ୍ରଶାସନ ଧାରଣସ୍ଥଳରେ ନ ପହଞ୍ଚିଲେ ୧୦ଜଣ ଆନ୍ଦୋଳନକାରୀ ଆତ୍ମହୁତି ଦେବାର ଧମକ ଦେବା ପରେ ଆଜି ଅପରାହ୍ନରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି, ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା, ଆନନ୍ଦପୁର ଡିଏଫଓ ପ୍ରଶାନ୍ତ କୁମାର ପଣ୍ଡା, ଜିଲ୍ଲା ଖଣି ଅଧିକାରୀ ତାରିଣୀ ସିଂ, ହାଟଡିହି ତହସିଲଦାର ଶିବବ୍ରତ ତ୍ରିପାଠୀ, ନନ୍ଦିପଦା ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି, ହଡ଼ଗଡ଼ ରେଞ୍ଜ ଅଫିସର ମାର୍ସଲ କିସ୍କୁ ପ୍ରମୁଖ ପହଞ୍ଚି ଆନ୍ଦୋଳନକରୀଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ସେମାନଙ୍କ ମୁଖ୍ୟ ଦାବି ଗୁଡିକ ଦିଗରେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ। ଚୋରା ବାଲି ଚାଲାଣ ବନ୍ଦ ସହିତ କରଗୋଳା ଘାଟକୁ ଲିଜ ନ ଦେବା ପାଇଁ ଦାବି କରିବା ସହିତ ଗାଁ କୁ ସୁରକ୍ଷା ଦେବା ପାଇଁ ପଥର ପ୍ୟାଚିଂ, ନଦୀ ପଠାରେ ଅଧିକ ବୃକ୍ଷ ରୋପଣ, ଭଳି ଦାବି ଉପରେ ଆଲୋଚନା ହୋଇଥିଲା। ବିନା ଲିଜରେ ବାଲି ଲୁଟ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ ନୀଳମାଧବ ସୁନା ପ୍ରତିଶ୍ରୁତି ଦେଇଥିଲେ। ସେହିପରି କଟା ଯାଇଥିବା ଗଛ ଓ ନଷ୍ଟ ହୋଇଥିବା ପରିବେଶ ସମ୍ପର୍କରେ ତଦନ୍ତ କରାଯିବ ବୋଲି ଆନନ୍ଦପୁର ବନଖଣ୍ଡ ବନ୍ୟପ୍ରାଣୀ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ। ଦୁଇଦିନ ହେଲା ଏକ ଟିମ୍ ଗଠନ କରାଯାଇ ବ୍ୟାପକ ଚଢ଼ାଉ ଆରମ୍ଭ ହୋଇଥିବା ପ୍ରଶାସନିକ ଅଧିକାରୀମାନେ ସୂଚନା ଦେଇଛନ୍ତି। ଆନ୍ଦୋଳନ କାରୀ ମାନଙ୍କୁ ଧମକ ଚମକ ଦିଆ ଯାଉଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ। ପୁଲିସ ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କୁହା ଯାଇଥିଲା। ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ କାରୀ ମାନେ ଆନ୍ଦୋଳନ ପ୍ରତ୍ୟାହାର ଘୋଷଣା କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବୈତରଣୀ ନଦୀର କରଗୋଳା ବାଲି ଘାଟ କୁଳରୁ ଶତାଧିକ ମୂଲ୍ୟବାନ ବୃକ୍ଷ କାଟିଦେବା, ବେଆଇନ ଭାବେ ବାଲି ଉଠାଣ, କରିବା, ପ୍ରଶାସନ ଟ୍ରେଞ୍ଜ ଖୋଲିବା ପରେ ମଧ୍ୟ ଟ୍ରେଞ୍ଚ ପୋତିଦେଇ ବାଲି ଉଠାଇବା ଘଟଣାରେ ଗ୍ରାମବାସୀ ମାନେ ବାଲି ସତ୍ୟାଗ୍ରହ କରିବା ସହିତ ଧାରଣା ରେ ବସିଥିଲେ। ୭ ଦିନ ହେଲା ଗ୍ରାମବାସୀ ମାନେ ଧାରଣାରେ ବସିଥିଲେ ବି ପ୍ରଶାସନିକ ଉଦାସୀନତା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ନେଇ ଗାଁର ୧୦ଜଣ ଗ୍ରାମବାସୀ ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ। ଆଜିର ଧାରଣା ଓ ସତ୍ୟାଗ୍ରହରେ ପୂର୍ବତନ ସରପଞ୍ଚ ଗୋପାଳ ସେଠୀ, ଆଲୋକ ବେହେରା, ବିଜୟ ସାହୁ, ସୁଲି ଜେନା, ଅହଲ୍ୟା ସାହୁ, ରିତାଞ୍ଜଳି ସାହୁ, ଅନ୍ନପୂର୍ଣ୍ଣା ପଣ୍ଡା, ଶୁଭଲକ୍ଷ୍ମୀ ନନ୍ଦ, ଜୟ ନାରାୟଣ ଜେନା, ମହେନ୍ଦ୍ର ପଣ୍ଡା, ନଟବର ମହାରଣା, ରାମଚନ୍ଦ୍ର ସାହୁ, ସୁଦର୍ଶନ ସାହୁ, ଶ୍ରୀଧର ଜେନା, ଗଣେଶ ଜେନା, ଶୁକଦେବ ପଣ୍ଡା , ସୁବାସ ଜେନା, କିଶୋର ଜେନା, ନାରାୟଣ ଓଝା, ନଟବର ବେହେରା, ଅଲେଖ ଜେନା, ପରୀକ୍ଷିତ ଜେନା, କ୍ଷୀରୋଦ ସାହୁ, ନୀଳମଣି ଜେନା, ନରହରି ଜେନାଙ୍କ ସମେତ ୩ଶହରୁ ଅଧିକ ସତ୍ୟଗ୍ରହୀ ସାମିଲ ହୋଇଥିଲେ।

 
             
						 
						 
						 
						 
						 
						
