ବାଲିଯାତ୍ରା ଉପର ପଡିଆରେ ସ୍ଥାନ ପାଇବ ସାଂସ୍କୃତିକ ଐତିହ୍ୟ : ଦହିବରା ଆଳୁଦମ୍‌, ଠୁଙ୍କାପୁରୀ, ତାରକସି ଓ ହସ୍ତଶିଳ୍ପ ସମ୍ଭାରର ଆସର

କଟକ (ଓ୍ବାଇଏନଏସ) ଚଳିତ ବର୍ଷ ନଭେମ୍ବର ୫ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଐତିହାସିକ ବାଲିଯାତ୍ରା କଟକ-୨୦୨୫ରେ ଉପର ପଡିଆରେ କଟକ ସାଂସ୍କୃତିକ ଐତିହ୍ୟକୁ ସ୍ଥାନ ଦେବାକୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି । ବିଶେଷକରି କଟକର ପାରମ୍ପରିକ ଖାଦ୍ୟ, ଦହିବରା ଆଳୁଦମ୍‌, ଠୁଙ୍କାପୁରୀ, ରୁପା ତାରକସି, ମାଟିରେ ତିଆରି ସାମଗ୍ରୀ ଓ ପାତ୍ର, ବାଉଁଶରୁ ତିଆରି ସାମଗ୍ରୀ, ଶିଙ୍ଗ କାମ, ଶିଳ, ଚକି ଓ ଅନ୍ୟାନ୍ୟ ହସ୍ତଶିଳ୍ପ ସାମଗ୍ରୀ ସମେତ ଦୋଳି ଆଦିର ସମ୍ଭାର ଏଠାରେ ଦେଖିବାକୁ ମିଳିବ । ବିଶେଷକରି କେବଳ ବାଲିଯାତ୍ରା ସମୟରେ ଯେଉଁସବୁ ପାରମ୍ପରିକ ଜିନିଷ ଉପଲବଧ ହୋଇଥାଏ ସେହିସବୁ ଜିନିଷର ଷ୍ଟଲ ଏହିଠାରେ ରହିବ । ଏଥିସହ ଏଠାରେ ଗାଡି ପାର୍କିଂର ବ୍ୟବସ୍ଥା ମଧ୍ୟ ରହିବ । ଭିଡ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପୂର୍ବକ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ସହମତି କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଅତିରିକ୍ତ ଜିଲ୍ଳାପାଳ ରାଜସ୍ୱ ଡଃ ଦିବ୍ୟଲୋଚନ ମହାନ୍ତ କହିଛନ୍ତି ।  ଅନ୍ୟପକ୍ଷରେ ବାଲିଯାତ୍ରା ପ୍ଲଟ ପଞ୍ଜିକରଣ ଆସନ୍ତା ୧୨ ତାରିଖ ଅପରାହ୍ନ ୫ ଘଟିକା ୩୦ ମିନିଟ ପର୍ଯ୍ୟନ୍ତ ବାରବାଟୀ ପ୍ୟାଲେସଠାରେ ଚାଲୁ ରହିବ । ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଇଚ୍ଛୁକ ବ୍ୟବସାୟୀ ପ୍ଲଟ୍ ପଞ୍ଜିକରଣ କରିପାରିବେ । ଆଉ ମାତ୍ର ୫୦୦ ପ୍ଲଟ ପଞ୍ଜିକରଣ ପାଇଁ ବାକି ଥିବାରୁ ବ୍ୟବସାୟୀମାନେ ଖୁବ ଶୀଘ୍ର ପଞ୍ଜିକରଣ କରାଇନେବାକୁ କୁହାଯାଇଛି । ଚଳିତଥର ତଳ ବାଲିଯାତ୍ରା ପଡିଆରେ ଭିଟେଂଜ୍ କାର ପ୍ରଦର୍ଶନୀ, ମିଶନ୍ ଶକ୍ତି ଏନକ୍ଲୋଜର୍‌, ଏମଏସଏମଇ ଏନକ୍ଲୋଜର ଓ ଅଟୋ ଏନକ୍ଲେଭ ଭଳି ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଚଳିତଥର ଓରମାସ ବ୍ୟତୀତ ସମୁଦାୟ ୧୬୫୪ଟି ଷ୍ଟଲ ଖୋଲାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଚଳିତ ବର୍ଷ ଏକ ଆପ୍ ମଧ୍ୟ ପ୍ରଶାସନ ପକ୍ଷରୁ ତିଆରି କରାଯାଇଛି, ଯାହାଦ୍ୱାରା ଜଣେ ବ୍ୟକ୍ତି କେଉଁଠାରେ କେଉଁ ଜିନିଷର ସମ୍ଭାର ଏବଂ ଜନସାଧାରଣଙ୍କ ପାଇଁ ଥିବା ସୁବିଧା ସୁଯୋଗ ଯଥା – ଶୌଚାଳୟ, ଏଟିଏମ୍ କାଉଂଟର, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପୋଲିସ୍ ସହାୟତା କେନ୍ଦ୍ର, ପ୍ରବେଶ ଓ ପ୍ରସ୍ଥାନ ପଥ, ବାଲିଯାତ୍ରା ପଡିଆର ପ୍ରମୁଖ ଆକର୍ଷଣ ଇତ୍ୟାଦି ସମ୍ପର୍କରେ ଜାଣି ହେବ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ