ବାଲିପଦର କ୍ଲଷ୍ଟର ସ୍ତରୀୟ “ଉଲ୍ଲାସ” କାର୍ଯ୍ୟକ୍ରମ
ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡା ବ୍ଳକର ବାଲିପଦର କ୍ଲଷ୍ଟର ସ୍ତରୀୟ “ଉଲ୍ଲାସ” କାର୍ଯ୍ୟକ୍ରମ ଅକ୍ଟୋବର ୨୬ ତାରିଖ ଦିନ ସିଆରସିସି ବିଶ୍ଵଜିତ ପରିଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ପ୍ରାୟୋଜିତ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ “ଉଲ୍ଲାସ”ର ଲକ୍ଷ୍ୟ ହେଲା ୧୫ ବର୍ଷ ବା ତାହା ଠାରୁ ଅଧିକ ବର୍ଷର ବ୍ୟକ୍ତିମାନଙ୍କୁ ମୌଳିକ ଶିକ୍ଷା, ଜୀବନ ଧାରଣ କୌଶଳ ଏବଂ ବୃତ୍ତିଗତ ଦକ୍ଷତା ପ୍ରଦାନ କରି ବିକଶିତ ଭାରତ ଗଠନ ଅଭିମୁଖେ କ୍ଷିପ୍ରତାର ସହ ଅଗ୍ରସର ହେବା। ଏହି ଉଦ୍ଦେଶ୍ୟର ପରିପୂର୍ଣ୍ଣତା ପାଇଁ ତୃତୀୟ ପର୍ଯ୍ୟାୟରେ ବାଲିପଦର କ୍ଲଷ୍ଟରର ୨୬୫ ଜଣ ପ୍ରଶିକ୍ଷାର୍ଥୀଙ୍କ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଆକଳନ ପରୀକ୍ଷା (FLNAT) ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ବୃନ୍ଦ ପରୀକ୍ଷା ସୁଚାରୁ ଭାବେ ପରିଚାଳନା କରିଛନ୍ତି। ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅମିତା ପାଢ଼ୀ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବା ସହ ଉଲ୍ଲାସର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବାଲିପଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶର୍ମିଲା ରାଣୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।


