୮ ଦିନ ହେବ ବନ୍ତ ବଜାର ଅନ୍ଧାର, ଜଳୁନି ଷ୍ଟ୍ରିଟ୍ ଲାଇଟ୍‌

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ସଦର ମହକୁମାସ୍ଥିତ ବଜାର ଅଞ୍ଚଳ ଗତ ୮ ଦିନ ହେବ ଅନ୍ଧାରରେ ରହିଛି । ବଜାର ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ ଗୁଡିକ ଜଳୁନାହିଁ । ଏହି ଷ୍ଟ୍ରିଟ୍ ଲାଇଟ୍ ଗୁଡିକର ରକ୍ଷଣାବେକ୍ଷଣ ଅବଧି ସରିନଥିବା ବେଳେ ଏହାକୁ ମରାମତି କରାଯାଉନାହିଁ । ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯେ, ଗତ ୨୦୨୩ ମସିହାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ବନ୍ତ ବଜାରର ଆଲୋକିକରଣ ବ୍ୟବସ୍ଥା ପାଇଁ ନିଜ ପାଣ୍ଠିରୁ ଆନୁମାନିକ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଏହି ଅର୍ଥରେ ଠିକାଦାର ମାଧ୍ୟମରେ କାର୍ଯ୍ୟ କରାଯାଇଥିଲା । ଭଦ୍ରକ-ଆନନ୍ଦପୁର ୫୩ନଂ. ରାଜ୍ୟ ପଥର ତଥା ବନ୍ତ ସଦର ମହକୁମାସ୍ଥିତ ଟିଲୋ କେନାଲ ଛକ ଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ପ୍ରାୟ ୧କିମି ରାସ୍ତାରେ ଆଲୋକିକରଣ ବ୍ୟବସ୍ଥା କରାଯାଇଥିଲା । ହେଲେ ଏହି ଆଲୋକିକରଣ ବ୍ୟବସ୍ଥାକୁ ୨ ବର୍ଷ ପୁରିନାହିଁ । ଏବେ ଷ୍ଟ୍ରିଟ୍ ଲାଇଟ୍ ଗୁଡିକ ଜଳୁନଥିବା ଦେଖାଯାଇଛି । ଗତ ୮ ଦିନ ହେବ ସମଗ୍ର ବଜାର ଅଞ୍ଚଳ ଗୁଡିକ ଅନ୍ଧାରରେ ରହିଛି । ଫଳରେ ବ୍ୟବସାୟୀଙ୍କ ସମେତ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାତିରେ ଯାତାୟତରେ ଅସୁବିଧା ପରିଲକ୍ଷିତ ହେବା ସହ ଚୋରି ଭୟ ବୃଦ୍ଧି ପାଇଛି । ଉକ୍ତ ଷ୍ଟ୍ରିଟ୍ ଲାଇଟ୍ ଗୁଡିକୁ ମରାମତି କରିବା ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମାନେ ବିଦ୍ୟୁତ୍ ବିଭାଗକୁ କହୁଥିଲେ ମଧ୍ୟ ଏହାର ମରାମତି କାର୍ଯ୍ୟ ସେମାନଙ୍କର ନୁହେଁ ବୋଲି କହୁଛନ୍ତି । ତେବେ ଗତ ୨ ବର୍ଷ ତଳେ ଯେଉଁ ଠିକାଦାର ଏହି କାର୍ଯ୍ୟ କରିଛନ୍ତି ରକ୍ଷଣାବେକ୍ଷଣ ଦାୟିତ୍ୱ ୫ ବର୍ଷ ଥିବାରୁ ସେ ମରାମତି କରିବା କଥା ବିଦ୍ୟୁତ୍ ବିଭାଗ ପକ୍ଷରୁ କୁହାଯାଉଛି । ତେବେ ବନ୍ତ ଅଞ୍ଚଳରେ ରାଜନୈତିକ ଛକାପଞ୍ଝା ଯୋଗୁ ସାଧାରଣଲୋକେ ଅସୁବିଧା ଭୋଗୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ