ଶ୍ରମିକ ସଙ୍ଗଠନ ଡାକରାରେ ବନ୍ତରେ ବନ୍ଦ ପାଳନ ସଫଳ

ବନ୍ତ(ଚାନ୍ଦିନୀ ମହାନ୍ତି) : କେନ୍ଦ୍ର ସରକାରଙ୍କର ଶ୍ରମିକ ବିରୋଧି, ଶ୍ରମ କୋଡ୍ ପ୍ରତ୍ୟାହାର, କୃଷି ସାମଗ୍ରୀର ଏମ.ଏସ.ପି ଗ୍ୟାରେଣ୍ଟି ପାଇଁ ଆଇନ ପ୍ରଣୟନ, ଦୈନିକ ୧୦ ଘଣ୍ଟା କାର୍ଯ୍ୟ ଦିବସକୁ ବାତିଲ କରିବା, ମହିଳା ମାନଙ୍କୁ କଳକାରଖାନା ଓ ବିଭିନ୍ନ ଅଫିସ ଦପ୍ତରରେ ରାତ୍ରୀକାଳୀନ କାର୍ଯ୍ୟ କରିବା ପାଇଁ ଆସିଥିବା ଆଦେଶକୁ ପ୍ରତ୍ୟାହର କରିବା ସହିତ ଦରଦାମ ବୃଦ୍ଧି, ସରକାରୀ ଉଦ୍ୟୋଗର ଘରୋଇ କରଣ ଓ ଦାଦନ ଶ୍ରମିକ ମାନଙ୍କୁ କାର୍ଯ୍ୟ ଯୋଗାଇବା ପାଇଁ ନୂତନ ଆଇନ ପ୍ରଣୟନ କରିବା, ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାକୁ ବାତିଲ କରି ମହାତ୍ମାଗାନ୍ଧୀଙ୍କର ଅବମାନନା କରିବା ପ୍ରତିବାଦ ସହିତ ଗଣତନ୍ତ୍ର, ଧର୍ମ ନିରପେକ୍ଷ ଓ ସମ୍ବିଧାନର ସୁରକ୍ଷା ଦାବୀ ନେଇ ଆଜି ଶ୍ରମିକ ସଂଗଠନ ଡାକରାରେ ବନ୍ତରେ ବନ୍ଦ ପାଳନ ସଫଳ ହୋଇଛି । ଏହି ବନ୍ଦ ପାଳନରେ ଏଆଇଟିୟୁସି, ନିଖିଳ ଓଡିଶା ପାଚିକା ସଂଘ, ଅଖିଳ ଭାରତ କୃଷକ ସଭା, ଅଖିଳ ଭାରତ ଯୁବ ସଂଘ ଓ ସିପିଆଇର ସାଥୀ ସମର୍ଥକ ମାନେ ସାମିଲ ହୋଇଥିଲେ । ସକାଳ ୬ଟାରୁ ବନ୍ତ ତଥା ଆଖପାଖ ଅଞ୍ଚଳର ଦୋକାନ ବଜାର ବନ୍ଦ ରହିବା ସହିତ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ସକାଳ ୧୦ଟାରେ ଶ୍ରମିକ ସଂଗଠନର ସାଥୀ ସମର୍ଥକ ମାନେ ବ୍ଲକ, ତହସିଲ, ସ୍କୁଲ ଓ କଲେଜ ଆଦି ବନ୍ଦ କରିବାରେ ସାମିଲ ହୋଇଥିଲେ । ଫଳରେ ବନ୍ତ ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ଅଫିସ ଦପ୍ତର ଏବଂ ସ୍କୁଲ, କଲେଜ ଗୁଡିକ ବନ୍ଦ ରହିଥିବାର ଦେଖାଯାଇଥିଲା । ଥାନା ଛକ ଠାରେ ସିପିଆଇ ଜୋନ୍ ସମ୍ପାଦକ ଗୋପବନ୍ଧୁ ସେଠୀଙ୍କ ନେତୃତ୍ୱରେ ବନ୍ତ ଶାଖା ସମ୍ପାଦକ ନିରଞ୍ଜନ ନାୟକ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ପଧାନପଡା ସମିତି ସଭ୍ୟ ପ୍ରତିନିଧି ଦୁଲ୍ଲା ଖାଁ, ଫକୀରୁଦ୍ଦୀନ ଖାଁ, ପର୍ଶୁରାମ ସ୍ୱାଇଁ, ସୁବାଷ ଚନ୍ଦ୍ର ବେହେରା, ପଦ୍ମନାଭ ସ୍ୱାଇଁ, କୃଷ୍ଣ ଚନ୍ଦ୍ର ରାଉତ, ପବିତ୍ର ସେଠୀ, କିଶୋର ବେହେରା, ବିଷ୍ଣୁ ଚରଣ ଜେନା, ଅଭିମନ୍ୟୁ ଜେନା, କମଳକାନ୍ତ ଜେନା, ରମାକାନ୍ତ ପଲେଇ, ନିଳୋକ ନାଏବ ସରପଞ୍ଚ ନିଧିରାମ ଜେନା, ନାରାୟଣ ଜେନା, ରବିନ୍ଦ୍ର ରାଉତ, ଜୟନ୍ତ ଜେନା, ପଞ୍ଚାନନ ସେଠୀ, ରାଜୁ ଖିଲାର, କୃପାସିନ୍ଧୁ ଖଣ୍ଡେଇ ବନ୍ଦ ପାଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅନୁରୂପ ଭାବେ ସେଣ୍ଢତୀରା, ନିଳୋକ, ଟିଲୋ, ପଳସା, ଗଣିଜାଙ୍ଗ ଆଦି ସ୍ଥାନକୁ ଶ୍ରମିକ ସଂଗଠନର କର୍ମୀ ମାନେ ଯାଇ ବନ୍ଦ ପାଳନ କରିଥିବା ଦେଖାଯାଇଥିଲା । ସେହିପରି କେନ୍ଦୁଆପଦା ଛକରେ ପାଚିକା ସଂଘର ବ୍ଲକ ସଭାପତି ମହେଶ୍ୱର ନାୟକଙ୍କ ନେତୃତ୍ୱରେ ଆଇନଜୀବି ପ୍ରତାପ ସେଠୀ, ଦାମୋଦର ଜେନା, ଅନିରୁଦ୍ଧ ଜେନା, ସତ୍ୟଭାମା ସାହୁ, ମାଳତୀ ଦାସ, ସସ୍ମିତା ପଣ୍ଡ।। ପ୍ରମୁଖ ବନ୍ଦ ପାଳନରେ ସାମିଲ ଥିଲେ । ବନ୍ଦ ପାଳନରେ ଏଆଇଟିୟୁସିର ଭଦ୍ରକ ଜିଲା ସମ୍ପାଦକ ରମେଶ ଜେନା ଆନ୍ଦୋଳନକାରୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ବିରୁଦ୍ଧରେ ବ୍ୟାପକ ଗଣ ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦେବା ସହିତ ବନ୍ତ ବ୍ଲକର ଜନସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଅକୁଣ୍ଠ ସମର୍ଥନ କରିଥିବାରୁ ସମସ୍ତ ଜନଗଣଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ