ଆଜି ଆସିକା ଓକିଲ ସଂଘ ନିର୍ବାଚନ
ଆସିକା (ୱାଇଏନ୍ଏସ୍) : ରାଜ୍ୟ ଆଇନଜୀବୀ ପରିଷଦର ପରାମର୍ଶକ୍ରମେ ୱାନ୍ ବାର୍ ୱାନ୍ ଭୋଟ୍ ନିୟମ ଆଧାରରେ ଆଜି ସମଗ୍ର ରାଜ୍ୟର ବିଭିନ୍ନ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ୨୦୨୬-୨୭ ବର୍ଷ ପାଇଁ ଆସିକା ଓକିଲ ସଂଘର ଯୁଗ୍ମ ସଂପାଦକ ପଦବୀ ଲାଗି ନିଳାମ୍ବର ବେହେରା ଓ କୋଷାଧ୍ୟକ୍ଷ ପଦବୀ ଲାଗି ରାଘବ କୁମାର ନାହାକ ଏବଂ ଲାଇବ୍ରେରୀ ସଂପାଦକ ପଦବୀ ଲାଗି ସିମାଂଚଳ ସେଠୀ ପୂର୍ବରୁ ଅପ୍ରତିଦ୍ୱନ୍ଦୀ ରହିଥିଲା ବେଳେ ଅବଶିଷ୍ଟ ୩ଟି ପଦବୀ ଯଥା- ସଭାପତି, ଉପସଭାପତି, ଓ ସଂପାଦକ ପଦବୀ ଲାଗି ୮ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଆସିକା ଓକିଲ ସଂଘର ସଦସ୍ୟତା ଥିବା ୧୬୪ ଜଣ ଆଇନଜୀବୀ ଆସନ୍ତାକାଲି ନିଜ ନିଜର ମତାଧିକାର ସାବ୍ୟସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତ ନିର୍ବାଚନରେ ମୋଟ ୧୬୪ ଜଣ ଭୋଟର୍ ଥିବା ବେଳେ ସେଥିମଧ୍ୟରୁ ୧୦ ଜଣ ମହିଳା ଆଇନଜୀବୀ ଥିବା ଜଣାପଡିଛି । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଆସିକା ଓକିଲ ସଂଘର ୩ଟି ପଦବୀ ଲାଗି ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ସଂପନ୍ନ କରିବା ଲାଗି ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ କାଳୀଚରଣ ଦାଶ ଓ ସହଯୋଗୀ ଆଇନଜୀବୀ ଦେବରାଜ ମିଶ୍ର ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କ ଉପସ୍ଥିତିରେ ଆସନ୍ତାକାଲି ସକାଳ ୭ଟାରେ ବୁଥ୍ କେନ୍ଦ୍ରରେ ବ୍ୟାଲେଟ୍ ବକ୍ସକୁ ସିଲ୍ କରାଯିବା ପରେ ସକାଳ ସାଢେ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ ଓ ୪ଟାରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଆସିକା ଓକିଲ ସଂଘର ସଭାପତି ପଦବୀ ଲାଗି ବରିଷ୍ଠ ଆଇନଜୀବୀ ପି.ରବିନ୍ଦ୍ର କୁମାର ପାତ୍ର ଏବଂ ବରିଷ୍ଠ ଆଇନଜୀବୀ ଛବିଳରାମ ମିଶ୍ର ଓ ବରିଷ୍ଠ ଆଇନଜୀବୀ ସରୋଜ କୁମାର ନାୟକ, ଉପସଭାପତି ପଦବୀ ଲାଗି ବରିଷ୍ଠ ଆଇନଜୀବୀ ଜି.ସୂର୍ଯ୍ୟପ୍ରକାଶ ରାଓ ଓ ବରିଷ୍ଠ ଆଇନଜୀବୀ ଶିବପ୍ରସାଦ ମହାପାତ୍ର ଏବଂ ବରିଷ୍ଠ ଆଇନଜୀବୀ ଭରତେନ୍ଦୁ ଭୂଷଣ ନାୟକ, ସଂପାଦକ ପଦବୀ ଲାଗି ବରିଷ୍ଠ ଆଇନଜୀବୀ ନାରାୟଣ ମୁନି ଏବଂ ଚିତ୍ତରଂଜନ ଦାଶ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଜଣାପଡିଛି । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଆସିକା ଓକିଲ ସଂଘର ନିର୍ବାଚନ ପାଇଁ ଭୋଟଗ୍ରହଣ କେନ୍ଦ୍ରକୁ ମତଦାତା ମାନେ ମୋବାଇଲ୍ ଫୋନ୍ ନେବା ଉପରେ କଟକଣା ଜାରି କରାଯାଇଥିଲା ବେଳେ ଭୋଟର୍ମାନେ ପରିଚୟ ପତ୍ର ସାଙ୍ଗରେ ଆଣିବାକୁ ବାଧ୍ୟ କରାଯାଇଛି ବୋଲି ନିର୍ବାଚନ ଅଧିକାରୀ କାଳୀଚରଣ ଦାଶ ଓ ସହଯୋଗୀ ନିର୍ବାଚନ ଅଧିକାରୀ ଦେବରାଜ ମିଶ୍ର ସୂଚନା ଦେଇଛନ୍ତି । ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ନିଜ ନିଜର ଶୁଭେଚ୍ଛୁ ଓ ସମର୍ଥକଙ୍କୁ ଧରି ନିଜ ସପକ୍ଷରେ ଭୋଟର୍ଙ୍କୁ ଟାଣିବା ପାଇଁ ପ୍ରଚାର ଅଭିଯାନକୁ ଶେଷ ମୁହୂର୍ତ୍ତରେ ଜୋର୍ଦାର୍ କରିଥିବା ଦେଖିବାକୁ ମିଳିଛି ।


