୧୭ରେ ବାରୁଣୀ ସ୍ନାନ: ଋଷିକୁଲ୍ୟା ଓ ବଡନଦୀରେ ପର୍ଯ୍ୟାପ୍ତ ଜଳାଧାର ସୃଷ୍ଟି ଦାବୀ

ଆସିକା (ୱାଇଏନ୍‍ଏସ୍‍):  ଆସନ୍ତା ୧୭ ତାରିଖ ମଙ୍ଗଳବାର ଦିନ ସ୍ଥାନୀୟ ପବିତ୍ର ଋଷିକୁଲ୍ୟା ଓ ବଡନଦୀର ସଂଗମ ସ୍ଥଳ ବୁଡତୋଟା ଠାରେ ବାରୁଣୀ ସ୍ନାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦୁଇ ନଦୀର ବାଲୁକା ଶଯ୍ୟାରେ ଆବଶ୍ୟକୀୟ ଜଳାଧାର ନ ଥିବା ଯୋଗୁଁ ଏହି ବାରୁଣୀ ସ୍ନାନ ବ୍ୟାହତ ହେବା ଆଶଙ୍କାକୁ ଏଡାଇ ହେବ ନାହିଁ ବୋଲି ମତ ପ୍ରକାଶ ପାଉଛି । ଏହି ବାରୁଣୀ ମେଳାରେ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଶ୍ରଦ୍ଧାଳୁ ଜନତା ଯୋଗଦେଇ ପିତୃପୁରୁଷଙ୍କୁ ପିଣ୍ଡଦାନ କରି ବୁଡପକା କାର୍ଯ୍ୟକ୍ରମ, ଅସ୍ତି ବିସର୍ଜନ, ଶ୍ରାଦ୍ଧ, ତର୍ପଣ ପ୍ରଭୃତି କରିଥାନ୍ତି । ତେବେ ଚଳିତ ବର୍ଷ ଋଷିକୁଲ୍ୟା ଓ ବଡନଦୀର ବାଲୁକାଶଯ୍ୟାରେ ଆବଶ୍ୟକୀୟ ମୁତାବକ ଜଳାଧାର ନଥିବା ଯୋଗୁଁ ଶ୍ରଦ୍ଧାଳୁ ଭକ୍ତମାନେ କିପରି ସ୍ନାନ କରିବେ ଓ ଧାର୍ମିକ କର୍ମକାଣ୍ଡ କିପରି କରିବେ ତାହାକୁ ନେଇ ଏବେ ଠାରୁ ଚିନ୍ତାରେ ପଡିଯାଇଥିବା ଲକ୍ଷ୍ୟ କରାଯାଇଛି । ବର୍ଷକୁ ଥରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ଉଦ୍ଦେଶ୍ୟରେ ସାଧାରଣ ଜନତା ଚାତକ ଭଳି ଏହି ପବିତ୍ର ତିଥିକୁ ଅପେକ୍ଷା କରିରହିଥିଲା ବେଳେ ଚଳିତ ବର୍ଷ ଋଷିକୁଲ୍ୟା ଓ ବଡନଦୀରେ ଆବଶ୍ୟକୀୟ ଜଳାଧାର ନଥିବା ଯୋଗୁଁ ପିଣ୍ଡଦାନରେ ବ୍ୟାଘାତ ସୃଷ୍ଟି ହେବା ସମ୍ଭାବନା ରହିଛି । ପୁରାଣ ବର୍ଣ୍ଣିତ କଥା ଅନୁସାରେ ପୂଣ୍ୟତୋୟା ଋଷିକୁଲ୍ୟା ନଦୀ ଆସିକା ସହରର ଦକ୍ଷିଣ ପାଶ୍ୱର୍ରେ ପ୍ରବାହିତ ହୋଇଥିଲା ବେଳେ ଉତ୍ତର ପାଶ୍ୱର୍ରେ ପ୍ରବାହିତ ହେଉଛି ବଡନଦୀ । ଉଭୟ ନଦୀର ସଂଗମ ସ୍ଥଳରେ ପିଣ୍ଡଦାନ କଲେ କୋଟି ଜନ୍ମରୁ ପୂଣ୍ୟ ମିଳେ ବୋଲି ଲୋକପ୍ରଥା ପ୍ରଚଳିତ ହୋଇଆସୁଛି । ଏହି ସଂଗମ ସ୍ଥଳରେ ପୂୂର୍ବଜଙ୍କ ଅସ୍ତି ବିସର୍ଜନ ପୂର୍ବକ ସପ୍ତପୁରୁଷଙ୍କୁ ପିଣ୍ଡଦାନ କଲେ ପୂର୍ବଜଙ୍କ ଆତ୍ମା ତୃପ୍ତିଲାଭ କରି ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଏହି ଦିନରେ ଉକ୍ତ ଅଞ୍ଚଳରେ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ ଜନତାଙ୍କ ଭିଡ ଜମୁଥିବା ବେଳେ ବିଭିନ୍ନ ଅଞ୍ଚଳର ବ୍ୟବସାୟୀମାନେ ନିଜର ବ୍ୟବସାୟ ପ୍ରତିଷ୍ଠାନ ଖୋଲି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି । ପବିତ୍ର ଗଙ୍ଗାନଦୀ ଠାରୁ ହଜାରେ ବର୍ଷରେ ବଡ ଥିବା ଆସିକା ଋଷିକୁଲ୍ୟା ନଦୀରେ ଆବଶ୍ୟକୀୟ ଜଳାଧାନ ନଥିବା ଯୋଗୁଁ ବାରୁଣୀ ସ୍ନାନ କିପରି କରିବେ ସେଥିପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ମହଲରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଥିଲା ବେଳେ ଜଳସେଚନ ବିଭାଗ ସୋରଡା ଜଳଭଣ୍ଡାରରରୁ ତୁରନ୍ତ ଋଷିକୁଲ୍ୟା ଓ ବଡନଦୀରେ ଆସନ୍ତା ୧୭ ତାରିଖ ମଙ୍ଗଳବାର ଦିନ ଅନୁଷ୍ଠିତ ହେବାକୁ ଥିବା ବାରୁଣୀ ସ୍ନାନକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପାଣି ଛାଡି ଜଳାଧାର ସୃଷ୍ଟି କରିବା ଦିଗରେ ପଦକ୍ଷେପ ନେବାକୁ ବରିଷ୍ଠ ଆଇନଜୀବୀ ରାଘବ କୁମାର ନାହାକ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ