ମାଟ୍ରିକ ପରୀକ୍ଷାରେ ଚମକିଲେ ବସ୍ତି ବାଳକ ସୌରଭ

କଟକ (ଓ୍ବାଇଏନଏସ): ବସ୍ତିରେ ଏତେ ଭଲ ପରିବେଶ ନଥାଏ ତଥାପି ’ ଚଳିତ ମାଟ୍ରିକ ପରୀକ୍ଷାରେ ୯୧.୫୦ ପ୍ରତିଶତ ରଖି ପୂରା ଅଞ୍ଚଳରେ ଗର୍ବ ଗୌରବ ପାଲଟିଛନ୍ତି ସୌରଭ ସାମଲ। ତୁଳସୀ ଦୁଇ ପତ୍ରରୁ ବାସେ… କିଛି କରିବାର ମନରେ ଦୃଢ ସଂକଳ୍ପ ଥିଲେ ଘାତ ପ୍ରତିଘାତ ରୋକିପାରେ ନାହିଁ । ତାହା ପ୍ରସ୍ଫୁଟିତ ହୁଏ । ତାହା ପ୍ରମାଣିତ କରି ଦେଖାଇଛନ୍ତି କଟକ କୃଷକ ବଜାର ବସ୍ତିରେ ରହୁଥିବା ସୌରଭ ସାମଲ । ଚଳିତ ମାଟ୍ରିକ ପରୀକ୍ଷାରେ ୯୧.୫୦ ପ୍ରତିଶତ(୫୪୯) ମାର୍କ ରଖି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କଟକ ସହରର ସତୀଚଉରା କୃଷକ ବଜାର ବସ୍ତି । ଏଠାରେ ରୁହନ୍ତି ସୌରଭ ସାମଲଙ୍କ ପରିବାର । ଘର କହିଲେ ଆଜବେଷ୍ଟ ଘର । କାନ୍ଥ ପ୍ଲାଷ୍ଟର ହୋଇନି । ଗୋଟିଏ ଘରେ ଚଳନ୍ତି 6 ପ୍ରାଣୀ । ସୌରଭଙ୍କ ବାପା, ମାଆ, ଜେଜେ ଓ ଦୁଇ ଭଉଣୀ । ବାପା ପାଇପ ମିସ୍ତ୍ରୀ ଭାବେ କାମ କରନ୍ତି । ମାଆ ଗୃହିଣୀ । ଖରା ହେଲେ ଘରେ ଯେମିତି ନିଆଁ ବର୍ଷା…ବର୍ଷା ହେଲେ ଘରେ ପାଣି ପଶେ । ପାଠ ପଢିବାକୁ ଯେଉଁ ପରିବେଶ ରହିବା କଥା ତାହା ନାହିଁ । କିନ୍ତୁ ଏ ସବୁ ଘାତ ପ୍ରତିଘାତ ତାଙ୍କ ରାସ୍ତା ଅଟକାଇ ପାରିନି । ଏହାରି ଭିତରେ ସେ ଦିନକୁ 2ରୁ 3 ଘଣ୍ଟା ପାଠ ପଢି ଚଳିତ ମାଟ୍ରିକ ପରୀକ୍ଷାରେ ୫୪୯ ମାର୍କ ସହ ଏ-1 ଗ୍ରେଡ ପାଇଛନ୍ତି । ଅନେକ ମେଧାବୀ ଛାତ୍ର ସଫଳତା ପରେ କିଏ କହେ ଦୈନିକ ୧୦ ରୁ ୧୨ ଘଣ୍ଟା ପାଠ ପଢେ ଆଉ କିଏ କହେ ୧୨ ରୁ ୧୪ ଘଣ୍ଟା ପାଠ ପଢେ । ସୌରଭ କହିଛନ୍ତି, ‘ଦୈନିକ ୨ ରୁ ୩ ଘଣ୍ଟା ପାଠ ପଢ଼ନ୍ତି । ସକାଳୁ ଉଠି ନିତ୍ୟକର୍ମ ସାରି ଗଣିତ ଟିଉସନ ଯାଏ । ଆଉ ଟିଉସନରୁ ଫେରି ୧୦ ଟାରେ ସ୍କୁଲ ଯାଏ । ସେହିପରି ସନ୍ଧ୍ୟାରେ ଇଂରାଜୀ ଟିଉସନ ସରିବା ପରେ ରାତ୍ରିରେ ୨ ରୁ ୩ ଘଣ୍ଟା ପାଠ ପଢ଼େ ଜଣେ ଯଦି ମନ ଦେଇ ଦୈନିକ ଦୁଇରୁ ୩ ଘଣ୍ଟା ପାଠ ପଢିବ ତେବେ ତାହା ବି ଯଥେଷ୍ଟ ।’ ସୌରଭ ଆହୁରି କହିଛନ୍ତି, ବସ୍ତିରେ ଏତେ ଭଲ ପରିବେଶ ନଥାଏ । ତଥାପି ପଢିବି । ଯୁକ୍ତ ଦୁଇ ବିଜ୍ଞାନ ପଢି ନିଟ୍‌ ଦେଇ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛି । ସେହିପରି ପୁଅର ସଫଳତାକୁ ନେଇ ତାଙ୍କ ମା’ ଶୁଭଲକ୍ଷ୍ମୀ ସାମଲ ଛଳ ଛଳ ଆଖିରେ କହିଛନ୍ତି, ‘ପୁଅର ପାଠପଢା ପାଇଁ ଯେଉଁ ପରିବେଶ ଆବଶ୍ୟକ ତାହା ଆମେ କରିପାରିଲୁ ନାହିଁ । ମାତ୍ର ପୁଅକୁ ପାଠପଢ଼ିବା ପାଇଁ ବାରମ୍ବାର କହେ । ଭଲ ପାଠ ପଢି ଭଲ ମଣିଷ ହେବାକୁ ସବୁବେଳେ କୁହେ । ଭଲ ପରିବେଶ ହୋଇଥିଲେ ହୁଏତ ପୁଅ ଆହୁରି ଅଧିକ ନମ୍ବର ରଖିଥାନ୍ତା । ଆମେ ବସ୍ତିରୁ ରହିଛୁ । ଗାଁ ଛାଡିକି ଆସିଛୁ । ଭଲରେ ଖାଇବା ବି ଦେଇପାରିନୁ । ପୁଅକୁ ଆଗରୁ ସରସ୍ବତୀ ଶିଶୁ ମନ୍ଦିରରେ ପଢାଉଥିଲୁ । ପଇସା ପତ୍ର ଅଭାବରୁ ଆଉ ଆଗକୁ ନେଇପାରିଲୁନି । ସୌରଭଙ୍କ ପିଉସୀ ଅନୁସୟା ସ୍ବାଇଁ କହିଛନ୍ତି, ‘ସେ ଭଲ ପାଠ ପଢେ । ମୋ ଭାଇ ଓ ଭାଉଜ ବହୁତ କଷ୍ଟ କରନ୍ତି । ବସ୍ତିରେ ରହିଲେ ସମସ୍ତେ ସମାନ ନୁହନ୍ତି । ଆମ ୪ଟି ଛୁଆ ବହୁତ ଭଲ । ବାପା ମା’ ଭଲ ବାଟକୁ ଗଲେ ପିଲା ବି ଭଲ ବାଟକୁ ଯାଆନ୍ତି । ବାପା ମାଆ ଭୁଲ ବାଟକୁ ଗଲେ ଛୁଆ ବି ଭୁଲ ବାଟକୁ ଯାଆନ୍ତି । ଆମ ଛୁଆ ସବୁ ଭଲ ପାଠ ପଢିଛନ୍ତି ।’ ସୌରଭଙ୍କ ପଡୋଶୀ ସୁଷମା ବେହେରା କହିଛନ୍ତି, ‘ସୌରଭ ବହୁତ ଭଲ ପିଲା । ବହୁତ ପରିଶ୍ରମ କରନ୍ତି । ମାର୍କ ଭଲ ରଖିଛନ୍ତି । ଦିନ ରାତି ୨୪ ଘଣ୍ଟା ପରିଶ୍ରମ କରନ୍ତି । ପରିଶ୍ରମ ଯିଏ କରିବ ସେ ତାହା ମୂଲ୍ୟ ପାଇବ । ସବୁ ପିଲା ଭଲ । ଭଲ ପାଠ ପଢନ୍ତି ।’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ