ବେନାମୀ ପାଣି ବୋତଲ୍‍ କମ୍ପାନୀ କବଜାରେ ଆସିକା !

ଆସିକା  (ୱାଇଏନ୍‍ଏସ୍‍) : ପ୍ରଶାସନିକ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଓ ଉଦାସୀନ ମନୋବୃତ୍ତିି ଯୋଗୁଁ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଗତ କିଛି ମାସ ହେଲା ବେନାମୀ ପାଣିବୋତଲର ବହୁଳ ବିକ୍ରୀବଟା ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ଆଲୋଚିତ ହେଉଛି । ଚୈତ୍ର ମାସରେ ଖରାର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ଯୋଗୁଁ ସ୍ୱଚ୍ଛ ପାନୀୟ ଜଳ ଟୋପାଏ ପାଇବା ପାଇଁ ବିଭିନ୍ନ ଅଞ୍ଚଳର ଜନତା ଡହଳବିକଳ ହୋଇପଡୁଥିଲା ବେଳେ ବଜାରରେ ମିଳୁଥିବା ପାଣି ବୋତଲର ଶୁଦ୍ଧତାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବଜାରଘାଟରେ ଯାଉଥିବା ପଥଚାରୀମାନେ ଅସହ୍ୟ ଖରାରେ ଅତିଷ୍ଠ ହୋଇ ନିଜର ତୃଷାକୁ ମେଣ୍ଟାଇବା ପାଇଁ ମାତ୍ର ୫ ରୁ ୧୦ ଟଙ୍କା ଖର୍ଚ୍ଚ କରି କେତେକ ପାନମସଲା ଦୋକାନରେ ଅବାଧରେ ବିକ୍ରୀ ହେଉଥିବା ପାଣିବୋତଲଟିଏ କିଣି ସେଥିରେ ଥିବା ପାଣି ପିଇ ଶୋଷ ମେଣ୍ଟାଉଥିବା ଦେଖିବାକୁ ମିଳୁଛି । ତେବେ ଏହି ପାଣିପାଉଚ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ୟାକିଂ କରି ବଜାରକୁ ଛଡା ଯାଉଥିଲା ବେଳେ ଅଧିକାଂଶ ପାଣି ବୋତଲରେ ପ୍ରସ୍ତୁତି ତାରିଖ ଲିପିବଦ୍ଧ କରାଯାଉନଥିବା ଦେଖିବାକୁ ମିଳୁଛି । ସରକାରୀ କଳର ବିଭାଗୀୟ ଅଧିକାରୀମାନେ ଏହି ପାଣିପାଉଚର ଶୁଦ୍ଧତାକୁ ଯାଞ୍ଚ କରୁଛନ୍ତି କି ନାହିଁ ସେନେଇ ସାଧାରଣରେ ନାନା କଥା ଶୁଣିବାକୁ ମିଳୁଛି । ବହୁ ସମୟରେ କେତେକ ପାଣିବୋତଲ ପାନ କରିବା ସମୟରେ ଦୁର୍ଗନ୍ଧ ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ଏହି ବେନାମୀ ପାଣିବୋତଲ ଗୁଡିକୁ ତୃଷା ମେଣ୍ଟାଇବା ପାଇଁ ପାନ କରି ସାଧାରଣ ନିରୀହ ଜନତା ନାନା ପ୍ରକାର ପେଟ ଓ ଚର୍ମରୋଗର ଶୀକାର ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ଆସିକା ତଥା ଏହାର ଆଖପାଖ ଅଞ୍ଚଳର କେତେକ ଅସାଧୁ ପାଣିବୋତଲ ବ୍ୟବସାୟୀ ସରକାରଙ୍କ ସମସ୍ତ ନୀତିନିୟମକୁ ଉଲଙ୍ଘନ କରି ବେଧଡକ ଭାବେ ପ୍ରଚୁର ପରିମାଣର ପାଣିବୋତଲ ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି । ଏହି ବେନାମୀ ପାଣିବୋତଲକୁ ବିକ୍ରୀ କରି ଅସାଧୁ ବ୍ୟବସାୟୀମାନେ ମାଲାମାଲ୍‍ ହେଉଥିବା ବେଳେ ନିରୀହ ଜନତା ଏହି ବେନାମୀ ପାଣିପାଉଚ ପାନ କରି ରୋଗକୁ ଆମନ୍ତ୍ରଣ କରୁଥିବା ଅଲୋଚିତ ହେଉଛି । ଗୋଟିଏ ପଟେ କେତେକ ପ୍ରଶାସନିକ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ନକଲି ତଥା ବେନାମୀ ପାଣିବୋତଲ କାରବାର ଉପରେ ଅଙ୍କୁଶ ରହୁନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । କେତେକ କଂପାନୀର ପାଣି ବୋତଲ ନିୟମ ଅନୁଯାୟୀ ପ୍ରସ୍ତୁତ କରି ବିକ୍ରୀ ହେଉଥିବା ବେଳେ ଅଧିକାଂଶ ପାଣିବୋତଲ ବେନିୟମ ଭାବେ ଚାଲିଥିବା ଚର୍ଚ୍ଚା ହେଉଛି । ଦକ୍ଷିଣ ଓଡିଶାର ଦ୍ୱିତୀୟ ବୃହତ୍ତମ ବ୍ୟବସାୟୀକ କେନ୍ଦ୍ରସ୍ଥଳ ରୂପେ ପରିଚିତ ଥିବା ଆସିକାକୁ ପ୍ରତିଦିନ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶହ ଶହ ସାଧାରଣ ଜନତା ବିଭିନ୍ନ କାମରେ ଆସିଥାନ୍ତି । ଶୋଷ ହେଲା ମାତ୍ରେ ରାସ୍ତାକଡରେ ଥିବା କୌଣସି ପାନଦୋକନାରୁ ପାଣିବୋତଲ ଟିଏ କିଣି ପାନ କରିଥାନ୍ତି । ତେବେ ଏହି ପାଣିବୋତଲରେ ଥିବା ପାଣିି ସ୍ୱାସ୍ଥ୍ୟ ପ୍ରତି ଉପଯୋଗୀ କି ନୁହେଁ ତାହା ପରଖିବାକୁ ସାଧାରଣ ଜନତାଙ୍କ ପାଖରେ ସମୟ ନଥାଏ । କମ୍ ଖର୍ଚ୍ଚରେ ଅଧିକ ଲାଭ ପାଇବା ନିଶାରେ କେତେକ ଅସାଧୁ ପାଣିପାଉଚ ବ୍ୟବସାୟୀ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଏହି ବ୍ୟବସାୟ କରୁଥିବା ଅଭିଯୋଗ ହେଉଛି । ଆଗକୁ ଆସିକାରେ ପ୍ରସିଦ୍ଧ ଖମ୍ବେଶ୍ୱରୀଯାତ୍ରା, ଦଣ୍ଡଯାତ୍ରା, ନୃସିଂହ ଯାତ୍ରାକୁ ବହୁ ପର୍ବପର୍ବାଣୀ ଅନୁଷ୍ଠିତ ହେବାକୁ ଥିବା ବେଳେ ସେହି ସମୟରେ ଏହି ବେନାମି ପାଣିବୋତଲର ବିକ୍ରୀବଟା ଆହୁରି ବଢିବ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଯାତ୍ରା ସମୟରେ ଅଧିକରୁ ଅଧିକ ଯେପରି ବେନାମି ପାଣିବୋତଲ ବିକ୍ରୀ ହୋଇପାରିବ ଓ ଅସାଧୁ ବ୍ୟବସାୟୀମାନେ ମାଲାମାଲ୍‍ ହୋଇପାରିବେ ତାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଠାରୁ ପାଣିବୋତଲ ପ୍ୟାକେଟକୁ ମହଜୁଦ କରିରଖି ଆବଶ୍ୟକ ସମୟରେ ବଜାରକୁ ଛାଡିବା ଲାଗି କେତେକ ଅସାଧୁ ପାଣିବୋତଲ ବ୍ୟବସାୟୀ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି । ଆସିକା ଅଞ୍ଚଳର କେତେକ ଅସାଧୁ ପାଣିବୋତଲ ବ୍ୟବସାୟୀ ଖୋଲାଖୋଲି ଭାବେ ତିନି ଓ ଚାରିଚକିଆ ଯାନରେ ବିଭିନ୍ନ ଦୋକାନକୁ ପାଣିବୋତଲ ଯୋଗାଉଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସରକାରୀ ନୀତିନିୟମକୁ ଉଲଙ୍ଘନ କରି ବିକ୍ରୀ କରାଯାଉଥିବା ବେନାମୀ ପାଣିବୋତଲ କାରବାରକୁ ବନ୍ଦ କରିବା ସାଙ୍ଗକୁ ଅସାଧୁ ବ୍ୟବସାୟୀ ମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ