‘ବେଟି ବଚାଓ ବେଟି ପଢାଓ’ ବ୍ଲକ ସ୍ତରୀୟ ତାଲିମ ଶିବିର
ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଶୁକ୍ରବାର ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ‘ବେଟି ବଚାଓ ବେଟି ପଢାଓ’ ଯୋଜନା ଆନୁକୂଲ୍ୟରେ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଅଧିକାର ସମେତ ଆର୍ଥିକ ସାକ୍ଷରତା ସମ୍ପର୍କରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ସିଡ଼ିପିଓ ଗୀତାଞ୍ଜଳି ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ଅଙ୍ଗନୱାଡ଼ି ସୁପ୍ରଭାଇଜର ବିଳାସିନୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ବିଡ଼ିଓ ଅନାମିକା ପାଣ୍ଡେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି ଆଇନଜୀବି ହରପ୍ରସାଦ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କିଶୋରୀ ବାଳିକାଙ୍କ ପାଇଁ ରହିଥିବା ବିଭିନ୍ନ ଅଧିକାର ଓ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିବା ବେଳେ ଭାରତୀୟ ଷ୍ଟେଟବ୍ୟାଙ୍କ ପରିଚାଳକ ଶ୍ରୀପଦ ପ୍ରସାଦ ସାହୁ ଅତିଥି ଭାବେ ଯୋଗଦେଇ ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ଏବଂ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ ଘଡେଇ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ଅଧିକାର ଆଇନ ସମ୍ପର୍କରେ ସଚେତନ କରାଇଥିଲେ। କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି ସୁପ୍ରଭାଇଜର ଉମାରାଣୀ ବେହେରା, ଗୀତାଞ୍ଜଳି ଗୌଡ଼ଙ୍କ ସମେତ ସମସ୍ତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ଅଙ୍ଗନବାଡ଼ି କର୍ମୀ ଓ ବହୁ ସଂଖ୍ୟକ କିଶୋରୀ ବାଳିକା ଶିବିରରେ ଉପସ୍ଥିତ ଥିଲେ।


