କାର ଧକ୍କାରେ ଆହାତ ବାଇକ ଚାଳକ ମୃତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)ଦିଗପହଣ୍ଡି : ବ୍ରହ୍ମପୁର ଖେମୁଣ୍ଡି କାଳୁଆ ଛକଠାରେ ବୁଧବାର ଅପରାହ୍ନ ପ୍ରାୟ ୨ ଟାରେ ଏକ ଦ୍ରୁତଗାମୀ କାର ଧକ୍କାରେ  ସିଦ୍ଧେଶ୍ୱର ପଞ୍ଚାୟତ ଗୋପାଳପୁର ଗ୍ରାମର ବାଇକ ଚାଳକ ଜଗନ କୁମାର ସ୍ବାଇଁ(୨୩)  ଗୁରୁତର ଆହାତ ହୋଇଥିଲେ। ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଭୁବନେଶ୍ୱର ଏମସ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଛି। ଗୁରୁବାର ସକାଳେ ମୃତ୍ୟୁ ଖବର ପ୍ରଚାରିତ ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ  ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଅପରାହ୍ନରେ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ପରିବାର ଓ ସାହି ପଡୋଶୀଙ୍କ କାନ୍ଦରେ ଗାଁ ଦାଣ୍ଡ ଫାଟି ପଡିଥିଲା । ଉଦୟନାଥ ସ୍ବାଇଁ ଓ ସୁଦଷ୍ଣା ସ୍ବାଇଁଙ୍କ ଏକମାତ୍ର ପୁଅ ଜଗନ ଜଣେ ଅନଲାଇନ ସାମଗ୍ରୀ ଡେଲିଭେରି ବୟ ଭାବେ କାମ କରି ପରିବାର ପୋଷଣ କରୁଥିବା ବେଳେ ରୋଜଗାରିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ମା ବାପା ବାହୁନି ବାହୁନି ପୁଅକୁ ଝୁରୁଛନ୍ତି । ସନ୍ଧ୍ୟାରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ହୋଇଥିଲା । ଜଗନଙ୍କ ମାମୁଁ  ଦିଗପହଣ୍ଡି ଥାନାରେ ପହଞ୍ଚି କାର୍ ଚାଳକଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଥାନା ମାମଲା ନଂ. ୨୯୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଙ୍କୁ ଥାନାରେ ଅଟକ ରଖାଯାଇଥିବା ଥାନା ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ