ଆସିକା ବନବିଭାଗ ପକ୍ଷରୁ ପକ୍ଷୀଗଣନା କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍) : ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ପରାମର୍ଶ ଓ ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡର ନିର୍ଦ୍ଦେଶ କ୍ରମେ ରବିବାର ଆସିକା ବନବିଭାଗ ପକ୍ଷରୁ ଚିହ୍ନଟ ହୋଇଥିବା ବିଭିନ୍ନ ଅଞ୍ଚଳରେ ପକ୍ଷୀ ଗଣନା କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଶୀତଦିନରେ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ହେଉଥିବା ଯୋଗୁଁ ଏହି ପକ୍ଷୀଗଣନା କାର୍ଯ୍ୟ ହୋଇଥିବା ଜଣାପଡିଛି । ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ୱରେ ଆସିକା ବନପାଳ ଶରତ ଚନ୍ଦ୍ର ବେହେରା, ଧରାକୋଟ ବନପାଳ ଲାଜୁ ଶବର, ଶେରଗଡ ବନପାଳ ରାଜେନ୍ଦ୍ର କୁମାର ଗୌଡ, ଷଡଙ୍ଗୀପଲ୍ଲୀ ବନପାଳ ପି.ସୁରଜ କୁମାର, ବନବିଭାଗର କର୍ମଚାରୀ ବିଷ୍ଣୁପ୍ରିୟା ପ୍ରଧାନ, ଲକ୍ଷ୍ମୀପ୍ରିୟା ଦଳବରା, ରାଜେନ୍ଦ୍ର କୁମାର ରାଉତ, ପ୍ରମୋଦ କୁମାର ପାଢୀ, ରାକେଶ୍‍ ପରିଡା, ରଶ୍ମିତା ଚୌଧୁରୀ, କାହ୍ନୁଚରଣ ଡାକୁଆ, ମୋହନ ଚାନ୍ଦଙ୍କ ସମେତ ବନବିଭାଗର କର୍ମଚାରୀ ମାନେ ୧୨ଟି ଟିମ୍‌ରେ ବିଭକ୍ତ ହୋଇ ସକାଳ ୬ ଘଟିକାରୁ ୧୦ ଘଟିକା ପର୍ଯ୍ୟନ୍ତ ଆସିକା ବନାଞ୍ଚଳ କାର୍ଯ୍ୟାଳୟର ବିଭିନ୍ନ ଗ୍ରାମାଞ୍ଚଳକୁ ଗସ୍ତ କରି ଏହି ପକ୍ଷୀଗଣନା କାର୍ଯ୍ୟକ୍ରମକୁ ସଂପାଦନ କରିଥିବା ଲକ୍ଷ୍ୟ କରାଯାଇଥିଲା । ବନବିଭାଗର କର୍ମଚାରୀ ମାନଙ୍କୁ ପକ୍ଷୀ ଗଣନା କରିବା ଲାଗି ବାଇନାକୁଲର ଓ କ୍ୟାମେରା ସହ ଅନ୍ୟାନ୍ୟ ଉପକରଣ ପ୍ରଦାନ କରାଯାଇଥିଲା। ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ଥିବା ବନବିଭାଗର କର୍ମଚାରୀ ମାନେ ବିଭିନ୍ନ ଜଳାଶ୍ରୟ, ପୋଖରୀ, ନଦୀ ହୁଡା ଇତ୍ୟାଦି ଅଞ୍ଚଳୁ ଗ୍ରସ୍ତକରୀ ବଗ, ହଂସ, ପାଣି କୁଆ, ମାଟିଆ ଗେଣ୍ଡୀ, ଦା ବେଣ୍ଟିଆ ବଗ, ଗେଣ୍ଡାଳିଆ, ମାଛରଙ୍କା, ତେଣ୍ଟେଇ, ଗିରିଆ, ଦଳଖୁମ୍ପି, ରଙ୍ଗା ଗେଣ୍ଡି, ପାଣିଗୁଣ୍ଟୁରୀ ଆଦି ପ୍ରଜାତିର ପକ୍ଷୀ ଗଣନା କରିଥିଲେ। ଆସିକା ବନାଞ୍ଚଳ କାର୍ଯ୍ୟାଳୟ ଅଧିନସ୍ଥ ଆସିକା, ଶେରଗଡ, ଷଡଙ୍ଗୀପଲ୍ଲୀ, ଧରାକୋଟ ସେକ୍ସନ ଅଧିନସ୍ଥ ଅଞ୍ଚଳରେ ଚଳିତ ବର୍ଷ ପକ୍ଷୀଗଣନା କାର୍ଯ୍ୟକୁ ସୁଚାରୂ ରୂପେ ସଂପାଦନ କରିବା ଲାଗି ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା। ଗତ ୨୦୨୩ ମସିହାରେ ୩୬୯୪ ଓ ୨୦୨୪ ମସିହାରେ ଆସିକା ବନାଞ୍ଚଳରେ ୩୯୭୨ ଟି ପକ୍ଷୀ ଓ ୨୦୨୫ ମସିହାରେ ୪୩୪୭ ପକ୍ଷୀ ଥିବା ବେଳେ ଚଳିତ ବର୍ଷ ତାହା ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିବା ଜଣାପଡିଛି । ଆସିକା ବନାଞ୍ଚଳ କାର୍ଯ୍ୟାଳୟ ଅଧୀନସ୍ଥ ଦେବଭୂମୀ ଘାଇ, ଭେଟନଇ ବନ୍ଧ, ଦନ୍ତାରିବଗଡ ହଜ, ଜାହାଡା ଘାଇ, କୁମୁଡିବନ୍ଧ, ଅଶୋକପୁର ଘାଇ, ସୀତାସାଗର, ନେଳିଆବନ୍ଧ, ବାହାରପୁର ପୋଖରୀ, ମଥୁରା ବନ୍ଧ, ବଡପୋଖରୀ ସମେତ ବିଭିନ୍ନ ଅଞ୍ଚଳରେ ବନବିଭାଗ ପକ୍ଷରୁ ବିଦେଶାଗତ ପକ୍ଷୀଙ୍କ ଠାରୁ ଆରମ୍ଭ କରି ଜଳରେ ବୁଲୁଥିବା ପକ୍ଷୀକୁ ଗଣନା କରାଯାଇଥିଲା । ଶୀତଋତୁ ଆଗମନରେ ଆସିକା ବନାଞ୍ଚଳ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ଅଞ୍ଚଳକୁ ଶହ ଶହ ରଙ୍ଗ ବେରଙ୍ଗର ପକ୍ଷୀଙ୍କ ଆଗମନ ଲାଗିରହିଥାଏ । ଯାହାକୁ ଦେଖିବା ପାଇଁ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ଭିଡ ଲାଗିରହିଥାଏ । ବିଶେଷକରି ସାଇବେରିଆ, ଋଷିଆ ଓ ଉତ୍ତର ଚାଇନା ଭଳି ସୁଦୂର ବିଦେଶରୁ ପକ୍ଷୀମାନେ ଆସିକା ବନାଞ୍ଚଳ କାର୍ଯ୍ୟାଳୟର ବିଭିନ୍ନ ଅଞ୍ଚଳକୁ ଆସିଥାନ୍ତି । ସେମାନେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅତିଥି ଭାବେ ବସବାସ କରିଥାନ୍ତି । ଶୀତ ଦିନରେ ହ୍ରଦଗୁଡିକରେ ଘାସ ଗୁଡିକ ଅଧିକ ଉଚ୍ଚତାରେ ରହିଥାଏ । ଯେଉଁଥିପାଇଁ ପକ୍ଷୀମାନେ ନିଜର ସୁରକ୍ଷା ପାଇଁ ବସା ବାନ୍ଧିବା ସହ ଛୁଆମାନଙ୍କୁ ମଧ୍ୟ ସୁରକ୍ଷିତ ରଖିଥାନ୍ତି । ଅନ୍ୟପଟେ ବିଦେଶରେ ଶୀତଦିନରେ ଅଧିକ ଥଣ୍ଡା ଅନୁଭୁତ ହେଉଥିବାରୁ ପକ୍ଷୀମାନେ ଆବଶ୍ୟକତା ଅନୁଯାୟୀ ଖାଦ୍ୟ ପାଇପାରିନଥାନ୍ତି । ପ୍ରଚୁର ଖାଦ୍ୟ ଓ ଜଳବାୟୁ ସୁହାଉଥିବାରୁ ଆସିକା ବନାଞ୍ଚଳ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ଅଞ୍ଚଳକୁ ପକ୍ଷୀଙ୍କ ଆଗମନ ହୋଇଥାଏ । ଛୁଆ ଜନ୍ମ ଠାରୁ ଆରମ୍ଭ କରି ସେମାନେ ଉଡିବା ପର୍ଯ୍ୟନ୍ତ ଏଠାରେ ରହିଥାନ୍ତି । ଆସିକା ବନାଞ୍ଚଳ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ଅଞ୍ଚଳରେ ବନବିଭାଗ ପକ୍ଷରୁ ପରିବେଶର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉଥିବାରୁ ପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ