କଟକରେ ମେଟ୍ରୋ ପ୍ରକଳ୍ପକୁ ନେଇ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ତଳେ ବିଜେଡ଼ିର ପ୍ରତିବାଦ
କଟକ, (ଓ୍ବାଇଏନଏସ): କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହେବାକୁ ନେଇ ପୁଣି ରାଜ୍ୟ ରାଜନୀତି ସରଗରମ ହୋଇଛି । ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଟକ ମେୟର ସୁବାସ ସିଂ । ପ୍ରକଳ୍ପ କାମ ଅଟକିବା ପ୍ରତିବାଦରେ ଆଜି(ରବିବାର) କଟକ ବାରବାଟୀ ଷ୍ଟାଡିୟମ ସମ୍ମୁଖରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ତଳେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ସେପଟେ ମେୟରଙ୍କ ଦାବିରେ ସ୍ବର ମିଳାଇଛନ୍ତି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । କଟକ ମେୟର ସୁବାସ ସିଂ କହିଛନ୍ତି ଯେ, ପୂର୍ବତନ ବିଜେଡି ସରକାର ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ଏଥିପାଇଁ ପ୍ରାୟ ୩୯୨ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ବର୍ତ୍ତମାନର ବିଜେପି ସରକାର ଏହାକୁ କାହିଁକି ବନ୍ଦ କରିଛନ୍ତି ? ବିଶେଷ କରି କେନ୍ଦ୍ରୀୟ ବଜେଟରେ ଓଡ଼ିଶା ମେଟ୍ରୋକୁ ବାଦ୍ ଦିଆଯିବା ଘଟଣାକୁ ସେ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, ‘ଓଡ଼ିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀ ବୈଷ୍ଣବ ଦେଶର ରେଳମନ୍ତ୍ରୀ ଅଛନ୍ତି, ତଥାପି ଓଡ଼ିଶାର ଏହି ସ୍ୱପ୍ନର ପ୍ରକଳ୍ପକୁ କାହିଁକି ଅବହେଳା କରାଯାଉଛି ।’ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ମଧ୍ୟ ମେୟରଙ୍କ ସହ ସ୍ୱର ମିଳାଇଛନ୍ତି । ସେ କହିଛନ୍ତି, ‘କଟକ ଓ ଭୁବନେଶ୍ୱର ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ସହଜ କରିବା ପାଇଁ ଏହି ପ୍ରକଳ୍ପ ଅତ୍ୟନ୍ତ ଜରୁରୀ । ସରକାର ଏହାକୁ କେଉଁ କାରଣରୁ ଅଟକାଇଛନ୍ତି, ତାହା ବୋଧଗମ୍ୟ ନୁହେଁ ।’


