କଟକରେ ଭୁଶୁଡି ପାରେ ବିଜେଡ଼ି ଗଡ଼ ; ପ୍ରଭାତ ବିଶ୍ୱାଳଙ୍କ ବାସଭବନରେ ରୁଦ୍ଧଦ୍ୱାର ବୈଠକ
କଟକ, (ଓ୍ବାଇଏନଏସ) :ରାଜ୍ୟସଭା ନିର୍ବାଚନ ପରେ ବିଜେଡିରେ କଳି ଥମୁ ନାହିଁ । ବିଶେଷକରି ନିଲମ୍ବିତ ବିଧାୟକମାନଙ୍କ ନିର୍ବାଚନ ମଣ୍ଡଳୀରେ ଦଳୀୟ ବିବାଦ ତୀବ୍ର ହେଉଥିବା ଦେଖିବାକୁ ମିଳୁଛି । ଏହାର ପ୍ରଭାବ କଟକ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ ସ୍ପଷ୍ଟ ଭାବେ ପଡ଼ିଛି । ସ୍ଥିତି ଏତେ ଗମ୍ଭୀର ହୋଇଛି ଯେ, କର୍ପୋରେଟରମାନେ ମେଳି କରି ଦଳ ଛାଡିବାକୁ ମଧ୍ୟ ଧମକ ଦେଇଛନ୍ତି । ମଙ୍ଗଳବାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବାସଭବନରେ ବିଜେଡି କର୍ପୋରେଟରମାନଙ୍କ ଏକ ଗୁପ୍ତ ବୈଠକ ହୋଇଥିଲା । ଏହି ବୈଠକରେ କଟକ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ୧୩ ଜଣ ବିଜେଡି କର୍ପୋରେଟର ସାମିଲ ହୋଇଥିଲେ । ସୂଚନା ଅନୁସାରେ; ପ୍ରଭାତ ବିଶ୍ୱାଳଙ୍କ ବାସଭବନରେ ପ୍ରାୟ ଦୁଇ ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ ଚାଲିଥିଲା । ବୈଠକ ପରେ କର୍ପୋରେଟରମାନେ ସିଧାସଳଖ ଭାବେ କହିଥିଲେ ଯେ, ସେମାନେ ପ୍ରଭାତ ବିଶ୍ୱାଳଙ୍କ ସହ ଅଛନ୍ତି ଏବଂ ଆଗକୁ ମଧ୍ୟ ରହିବେ । ସେମାନଙ୍କ କହିବା ଅନୁଯାୟୀ, ଦଳ ପାଇଁ ପ୍ରଭାତ ବିଶ୍ୱାଳଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ଏବଂ ସେମାନଙ୍କ ବିଜୟରେ ମଧ୍ୟ ତାଙ୍କର ଭୂମିକା ରହିଛି । ସେହିପରି ସେମାନେ ନିଜ ନିଷ୍ପତ୍ତି ନେତାଙ୍କୁ ଜଣାଇଦେଇଛନ୍ତି ଏବଂ ପ୍ରଭାତ ଯେଉଁ ନିଷ୍ପତ୍ତି ନେବେ, ସେହି ଅନୁଯାୟୀ ଚାଲିବେ ବୋଲି ସ୍ପଷ୍ଟ କରିଛନ୍ତି । ଏପରିକି, ବିଜେଡି ଛାଡି ପ୍ରଭାତଙ୍କ ସହ ଯିବାକୁ ମଧ୍ୟ ସଙ୍କେତ ଦେଇଛନ୍ତି । ଜଣେ ବିଜେଡି କର୍ପୋରେଟର କହିଛନ୍ତି, “ଆମେ କର୍ପୋରେଟର ପଦରୁ ଇସ୍ତଫା ଦେବା ପାଇଁ କହିନାହୁଁ । ଯେହେତୁ ଆମ ନେତାଙ୍କୁ ବହିଷ୍କାର କରାଯାଇଛି, ଆମ ନେତା ଯାହା ନିଷ୍ପତି ନେବେ ଆମେ ତାହା ଗ୍ରହଣ କରିବୁ । ଆମ ନେତାଙ୍କ କୁଶପୁତ୍ତଳିକା ଦାହ କରିବା ଅତି ନିନ୍ଦନୀୟ ।” ଏହି ନିଷ୍ପତ୍ତି ବିଜେଡି ପାଇଁ ଆଗାମୀ ଦିନରେ ଗୁରୁତର ସମସ୍ୟା ସୃଷ୍ଟି କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଆଜି(ବୁଧବାର ) ୧୩ ଜଣ କର୍ପୋରେଟର ସାମୁହିକ ଭାବେ ବିଜେଡି ଛାଡିପାରନ୍ତି ବୋଲି ମଧ୍ୟ ଆଲୋଚନା ଚାଲିଛି । ଅନ୍ୟପକ୍ଷରେ, ପ୍ରଭାତ ବିଶ୍ୱାଳ ସିଧାସଳଖ କୌଣସି ବୟାନ ଦେଇନଥିବା ସତ୍ବେ ପରୋକ୍ଷ ଭାବେ କର୍ପୋରେଟରମାନେ ତାଙ୍କ ସହ ରହିଥିବାକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦଳର କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ଥିବାରୁ ସେ ପୁଣି ଦଳକୁ ଫେରିବେ ନାହିଁ । ତେବେ ସେ କେଉଁ ଦଳକୁ ଯିବେ, ସେନେଇ ସ୍ପଷ୍ଟ କରିନଥିଲେ ମଧ୍ୟ ଖୁବଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ପ୍ରଭାତ ବିଶ୍ୱାଳ କହିଛନ୍ତି, “କର୍ପୋରେଟରମାନେ ସୌଜନ୍ୟମୂଳକ ଭାବରେ ସାକ୍ଷାତ କରି ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଛନ୍ତି । ଆମ ପ୍ରତି କର୍ପୋରେଟରମାନଙ୍କ ଆନ୍ତରିକତା ରହିଛି।”


