ଗଡଗଡି ଛକରେ ୪୦ ବର୍ଷ ଧରି ପୂଜା ପାଉଛନ୍ତି ମା’ଗଜଲକ୍ଷ୍ମୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ୍ ବି.ଟି.ପୁର ପଞ୍ଚାୟତ ଗଡଗଡି ଛକ ଠାରେ ୪୦ ବର୍ଷ ଧରି ମା’ ଗଜଲକ୍ଷ୍ମୀ ପୂଜା ପାଉଛନ୍ତି । ଏହି ପୂଜା ପାଇଁ ବଜାର ଅଞ୍ଚଳ ଉତ୍ସବ ମୁଖର ହୋଇଛି । ୧୯୮୪ ମସିହାରେ ଆଗରପଡା ଅଞ୍ଚଳର ବିଶିଷ୍ଟ ସ୍ୱର୍ଣ୍ଣ ବ୍ୟବସାୟୀ ସ୍ୱର୍ଗତ କୈଳାସ ଚନ୍ଦ୍ର ରଣା ଓ ଡା.ପୂର୍ଣ୍ଣଚନ୍ଦ୍ର ରାୟ ପ୍ରତ୍ୟେକ୍ଷ ଭାବେ ଏହି ପୂଜା ଆରମ୍ଭ କରିଥିଲେ । ୧୯୯୫ ମସିହାରୁ ବ୍ୟବସାୟୀ ମାନେ ମିଶି ଗଡଗଡି ଛକ ପୂଜା କମିଟି ମାଧ୍ୟମରେ ପୂଜା କରି ଆସୁଛନ୍ତି । ବ୍ୟବସାୟୀ ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏହି ପୂଜା ପ୍ରତ୍ୟେକ ଅନୁଷ୍ଠିତ ହୋଇଆସୁଛି । ପୂଜା କମିଟିର ସଭାପତି ବିଶ୍ୱମ୍ବର ସାହୁ, ସମ୍ପାଦକ ରାଜୁ ଗୁପ୍ତା, କୋଷାଧ୍ୟକ୍ଷ ସତ୍ୟବ୍ରତ ନାୟକ, ଉଦୀପ୍ତ ରାୟ, ବିଜ୍ଞାନ ଭୂଷଣ ମହାନ୍ତି, ମୁନ୍ନା ମହାନ୍ତି, ହେମନ୍ତ କୁମାର ସିଂ ପ୍ରମୁଖ ୭ ଦିନ ବ୍ୟାପୀ ପୂଜାର ସମସ୍ତ ଦାୟୀତ୍ୱ ସମ୍ପାଦନ କରୁଛନ୍ତି । ଗତ ସୋମବାର ରାତ୍ରରେ ସାଳନ୍ଦୀ ନଦୀର ବେଲେଶ୍ୱରପୁର ଘାଟରୁ ଘଟୋତ୍ତଳନ କରାଯାଇଥିଲା । ବ୍ରହ୍ମାନନ୍ଦ ମଲ୍ଲିକ୍, ବିଶ୍ୱମ୍ବର ସାହୁ, ମନୋଜ ମହାନ୍ତି, ସତ୍ୟବ୍ରତ ନାୟକ କଳସ ଆଣିଥିଲେ । ପଣ୍ଡିତ ସର୍ବେଶ୍ୱର ପାଣିଗ୍ରାହୀ, ବିଷ୍ଣୁ ମୋହନ ପାଣିଗ୍ରାହୀ ମା’ଙ୍କ ପୂଜାର୍ଚ୍ଚନା ଦାୟୀତ୍ୱ ତୁଲାଉଛନ୍ତି । ପୂଜା ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କର ମୃଣ୍ମୟୀ ମୂର୍ତ୍ତି ସହିତ ବଜାର ଅଞ୍ଚଳର ମୁଖ୍ୟ ରାସ୍ତାକୁ ଆକର୍ଷଣୀୟ ତୋରଣ ଓ ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ପୂଜା କମିଟି ପକ୍ଷରୁ ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।