ବିଜେପି ନେତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ: ଥାନାଧିକାରୀଙ୍କ ବିରୋଧରେ ଏସପିଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ବିଜେପି ନେତ୍ରୀ ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ପ୍ରାକ୍ତନ ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସୁଜାତା ବାରିକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲକଜ କରିଥିବା ରାଜକନିକା ଥାନାଧିକାରୀ ସଞ୍ଜୟ ମଲ୍ଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜକନିକା ଅଞ୍ଚଳର କେତେକ ମହିଳା ଶୁକ୍ରବାର ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେମାନେ ଏସପିଙ୍କ ଅଫିସ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ପେଗରପଡା ଗ୍ରାମର ସନ୍ଧ୍ୟାରାଣୀ ପଲାଇ ଓ ଝରଣା ମଲ୍ଲିକ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଜଣେ ଅନୁସୂଚିତ ଜାତିର ମହିଳାଙ୍କୁ ଏହି ଅଞ୍ଚଳର କେତେକ ଲୋକ ହଇରାଣ ହରକତ କଲେ। ମହିଳା ଜଣକ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ମହିଳାଙ୍କ ସପକ୍ଷରେ ଜଣେ ଯୁବକ ସାକ୍ଷ୍ୟ ଦେଇଥିଲେ। ଅଭିଯୁକ୍ତମାନେ ସେହି ଯୁବକଙ୍କ ମୁଣ୍ଡ ଫଟାଇଦେଲେ। ତେଣୁ ମହିଳା ଜଣକ ବାଧ୍ୟହୋଇ ବିଜେପି ନେତ୍ରୀ ସୁଜାତା ବାରିକଙ୍କୁ ଜଣାଇଥିଲେ। ଏ ନେଇ ଶ୍ରୀମତୀ ବାରିକ ରାଜକନିକା ଥାନାଧିକାରୀଙ୍କୁ ପଚାରିବାରୁ ଥାନାଧିକାରୀ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଫଳରେ ଶ୍ରୀମତୀ ବାରିକ ଏ ନେଇ ଗୃହ ବିଭାଗ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଗୃହ ବିଭାଗ ସଚିବ ପୋଲିସ ମହାନିର୍ଦ୍ଦେଶକଙ୍କୁ ରିପୋର୍ଟ ତଲବ କରିଥିଲେ। ପୋଲିସ ମହାନିର୍ଦ୍ଦେଶକ କେନ୍ଦ୍ରାପଡା ଏସପିଙ୍କୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଜେପିନେତ୍ରୀ ଶ୍ରୀମତୀ ବାରିକ ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଥିଲେ ଯେ ରାଜକନିକା ଥାନା ଅନ୍ତର୍ଗତ ପେଗରପଡା ଗ୍ରାମର ସ୍ୱର୍ଗତ ଋଷି ମଲିକଙ୍କ ପତ୍ନୀ ମଲ୍ଲି ମଲିକ ଜୁଲାଇମାସ ୨୫ତାରିଖ ମଧ୍ୟାହ୍ନ ୧୨ଟାରେ ତାଙ୍କ ଦୋକାନରୁ ଚୋରି ହୋଇଥିବା ନେଇ ରାଜକନିକା ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ଥାନାଧିକାରୀ ତାଙ୍କ ଠାରୁ ଅଭିଯୋଗ ରଖିନଥିଲେ। ପରନ୍ତୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କ ନାମରେ ମିଛ କେଶ କରି ହାଜତରେ ବାନ୍ଧି ପୁରାଇଦେବାକୁ ଧମକ ଦେଇଥିଲେ। ଏଥିସହିତ ଅଭିଯୋଗକାରୀଙ୍କ ସପକ୍ଷରେ ସାକ୍ଷୀ ଦେଇଥିବା ଅଶ୍ୱିନୀ ବାରିକଙ୍କୁ ମଧ୍ୟ ଗୁଣ୍ଡା ଲଗାଇ ଥାନାଧିକାରୀ ମାଡମାରି ମୁଣ୍ଡ ଫଟାଇଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପାଇବା ପରେ ରାଜକନିକାର ବିଜେପି ନେତ୍ରୀ ଶ୍ରୀମତୀ ବାରିକ ରାଜକନିକା ଥାନା ଅଧିକାରୀ ଶ୍ରୀ ମଲ୍ଲିକଙ୍କୁ ଟେଲିଫୋନ କରିଥିଲେ। କିନ୍ତୁ ଥାନାଧିକାରୀ ଶ୍ରୀ ମଲ୍ଲିକ ବିଜେପି ନେତ୍ରୀ ଶ୍ରୀମତୀ ବାରିକଙ୍କୁ ହଠାତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ସେହି ସମୟର ପ୍ରମାଣ ସ୍ୱରୂପ ଥାନାର ସି.ସି. ଟିଭି ଫୁଟେଜକୁ ତଦନ୍ତ ପରିସରଭୁକ୍ତ କରିବାକୁ ଶ୍ରୀମତୀ ବାରିକ ଦାବି କରିଥିଲେ। କିନ୍ତୁ ଅଦ୍ୟାବଧି ସେହି ଅଭିଯୋଗ ଉପରେ ଆରକ୍ଷୀ ଅଧୀକ୍ଷକ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଅଭିଯୋଗକାରୀ ପେଗରପଡା ଗ୍ରାମର ପିଡିତା ମହିଳା ଝରଣା ମଲ୍ଲିକ ଓ ସନ୍ଧ୍ୟାରାଣୀ ପଲାଇ ଶୁକ୍ରବାର ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରି ଜଣାଇଛନ୍ତି ଯେ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ନମିଳିବାରୁ ସେମାନେ ବାଧ୍ୟହୋଇ ଆସନ୍ତା ୧୮ତାରିଖରେ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ। ଏସମ୍ପର୍କରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ କଟ୍ଟାରିଆଙ୍କୁ ପଚାରିବାରେ ସେ କହିଥିଲେ ଯେ ଏହି ଘଟଣା ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ