ବିଜେପି ପକ୍ଷରୁ କଳା ଦିବସ ପାଳିତ
ବାଲେଶ୍ବର(ସରୋଜ ପଣ୍ଡା): ବୁଧବାର ଅପରାହ୍ନ ୫ ଘଟିକା ସମୟରେ ରେମୁଣା ବିଜେପି ପକ୍ଷରୁ ରେମୁଣା ମନ୍ଦିର ଛକ ନିକଟସ୍ଥ ହନୁମାନ କଲ୍ୟାଣ ମଣ୍ଡପରେ କଳା ଦିବସ ପାଳନ ହୋଇଯାଇଛି। ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ାଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ସଦର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଜିଲ୍ଲା ସୋସିଆଲ ମିଡ଼ିଆ କୋର୍ଡିନେଟର ଶ୍ରୀନିବାସ ପ୍ରଧାନ, ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ମହେଶ୍ୱର ପ୍ରଧାନ, ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ଲମ୍ବୋଦର ପ୍ରଧାନ, ପୂର୍ବତନ ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ ଏବଂ ରେମୁଣା ଅଞ୍ଚଳର ବୁଦ୍ଧିଜୀବୀ ସରୋଜ ଦାସ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ୧୯୭୫ ମସିହା ଆଜିର ଦିନରେ କଂଗ୍ରେସ ଶାସନ ସମୟରେ ତତ୍କାଳିନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପରିବାର କ୍ଷମତା ରାଜନୀତି ତଥା ଏକଛତ୍ରବାଦୀ ମାନସିକତା ଯୋଗୁଁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଭାରତୀୟ ଗଣତନ୍ତ୍ରର ଆତ୍ମାକୁ ହତ୍ୟା କରାଯାଇଥିଲା। ସାଧାରଣ ଲୋକଙ୍କର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଥିଲା । ବିନା କାରଣରେ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଜେଲ୍ ପଠାଯାଇଥିଲା ଏବଂ ଚତୁର୍ଥ ସ୍ତମ୍ଭର ସ୍ୱରକୁ ଦବାଇ ଦିଆଯାଇଥିଲା ବୁଲି ମଞ୍ଚାସିନ ଅତିଥି ମାନେ କହିଥିଲେ। ଚଳିତ ବର୍ଷ ଅର୍ଥାତ ୨୦୨୫ ରେ ଏହି କଳା ଦିବସର ୫୦ ବର୍ଷ ପୂର୍ତ୍ତି ହେଉଛି । ଏହି ଅବସରରେ ଭାରତର ପ୍ରତ୍ୟେକ ନାଗରିକ ନିଜର ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ପ୍ରତି ସତର୍କ ଓ ସଚେତନ ରହିବା ଆବଶ୍ୟକ। ଏଭଳି ଏକ ଜରୁରୀ କାଳୀନ ପରିସ୍ଥିତିରେ କଷ୍ଟକୁ ସହ୍ୟ କରିଥିବା ଲକ୍ଷ ଲକ୍ଷ ଲୋକଙ୍କୁ ସ୍ମରଣ କରିବା ସହିତ ଗଣତନ୍ତ୍ରର ମୂଲ୍ୟବୋଧ ପୁନଃ ପ୍ରତିଷ୍ଠା କରିବା ନିମନ୍ତେ ଏବଂ ସଂଗ୍ରାମ କରିଥିବା ଲୋକମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜିର ଦିନଟିକୁ ଭାରତ ସରକାରଙ୍କ ଦ୍ୱାରା ‘ସମ୍ବିଧାନ ହତ୍ୟା ଦିବସ’ ଭାବରେ ପାଳନ କରାଯାଉଛି । ଏଥି ସହିତ ଆଗାମୀ ଦିନରେ କଂଗ୍ରେସ ତଥା କୌଣସି ରାଜନୀତିକ ଦଳ ଏଭଳି ଅପରାଧ କରିବାକୁ ସାହସ କରିବେ ନାହିଁ ବୋଲି ଅତିଥି ମାନେ କହିଥିଲେ।