ବିକେବିଏମ ରାସ୍ତା ନିର୍ମାଣ କାର୍ଯ୍ୟ: ଅବରୋଧ ଯୋଗୁ ଆଗେଇ ପାରୁନି କାର୍ଯ୍ୟ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ଅଧିନ ବିକେବିଏମ୍୍(ବାରିକପୁର-କେନ୍ଦୁଆପଦା-ବନ୍ତ-ମହାନ୍ତିପଡା) ରାସ୍ତା କାର୍ଯ୍ୟ କେତେକାଂଶରେ ଅଧପନ୍ତରିଆ ହୋଇ ପଡି ରହିଛି । ବଜାର ଅଞ୍ଚଳ ଗୁଡିକରେ ସରକାରୀ ଜାଗାକୁ ଅବରୋଧ କରାଯାଇଥିବାରୁ ରାସ୍ତା କାର୍ଯ୍ୟ ଆଗେଇ ପାରୁନଥିବା ଦେଖାଯାଇଛି । ଏଭଳି ସମସ୍ୟା ଦେଖାଯାଇଛି ବିକେବିଏମ ରାସ୍ତାର ସେଣ୍ଢତୀରା ବଜାର ଅଞ୍ଚଳରେ । ପ୍ରକାଶ ଯେ, ଭଦ୍ରକ ଜିଲା ପୂର୍ତ୍ତ ବିଭାଗ ଅଧିନରେ ଗତ ଜାନୁଆରୀ ଠାରୁ ୩୨ କିମି ଦୈର୍ଘ୍ୟ ବିଶିଷ୍ଟ ବିକେବିଏମ୍ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଚାଲୁ ରହିଛି । ପୁରୁଣା ରାସ୍ତାର ଉଭୟ ପାଶ୍ୱର୍କୁ ୭ ଫୁଟ୍ ଲେଖାଏଁ ଓସାରିଆ କରାଯିବା ସହିତ ସମ୍ପୂର୍ଣ୍ଣ ରାସ୍ତାକୁ ନୂଆ ପିଚୁ କରାଯାଉଛି । ସେହିପରି ବଜାର ଅଞ୍ଚଳ ଗୁଡିକୁ ସମାନ ଭାବେ ଓସାରିଆ କରାଯାଉଛି । ଏହି ରାସ୍ତା ମଧ୍ୟରେ ତୋଡଗାଁ, ବରଡେଶ୍ୱର, କେନ୍ଦୁଆପଦା, ଗଣ୍ଡଗରା, ଗୋବିନ୍ଦପୁର, ଶିଆଳିଆ, ନିଳୋକ, ତରାପୁର ଆଦି ବଜାର ଅଞ୍ଚଳକୁ ଓସାରିଆ କରାଯାଇଛି । ମାତ୍ର ବାରିକପୁରରୁ ବନ୍ତ ଆଡକୁ ଆସିବା ବେଳେ ସେଣ୍ଢତୀରା ବଜାରର ଦକ୍ଷିଣ ପାଶ୍ୱର୍ର ପ୍ରାୟ ୯ ଶହ ମିଟର ରାସ୍ତା ଅଣ ଓସାରିଆ ହୋଇ ଥିବା ବେଳେ ସେଥିମଧ୍ୟରୁ ୭ ମିଟର ରାସ୍ତାର ସବ୍ବେସ୍ କାର୍ଯ୍ୟ ୭୦ ପ୍ରତିଶତ ସରିଯାଇଛି । ମାତ୍ର ଅବଶିଷ୍ଟ ୨ ଶହ ମିଟର ରାସ୍ତା କାର୍ଯ୍ୟ ଆଗେଇ ପାରୁନାହିଁ । ସରକାରୀ ଜାଗା ଅବରୋଧ ହୋଇଥିବା ଯୋଗୁ ଏଭଳି ସମସ୍ୟା ଦେଖାଯାଇଛି । ଗତ ୬ ମାସ ତଳେ ବଜାର ଅଞ୍ଚଳର ସରକାରୀ ଜାଗା ଜବର ଦଖଲ ଯୋଗୁ ରାସ୍ତା ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ଏନେଇ ସ୍ଥାନୀୟ ଲୋକମାନେ ତହସିଲଦାରଙ୍କ ସମେତ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ । ଫଳରେ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ସରକାରୀ ଜାଗାକୁ ଚିହ୍ନଟ କରିଯାଇଥିଲା । ପରେ ଜବର ଦଖଲ କରିଥିବା ସରକାରୀ ଜାଗାକୁ ଛାଡି ଦେବା ପାଇଁ ପ୍ରଶାସନ ପକ୍ଷରୁ ଜବର ଦଖଲକାରୀଙ୍କୁ କୁହାଯାଇଥିଲା । ଏହା ଭିତରେ କିଛି ଜବର ଦଖଲକାରୀ ଜାଗା ଛାଡି ଦେଇଥିବାରୁ ୭ ଶହ ମିଟର ରାସ୍ତା କାର୍ଯ୍ୟ ଆଗେଇ ଯାଇଛି । ମାତ୍ର ଆଉ କେତେକ ଜବରଦଖଲକାରୀ ଜାଗା ଛାଡି ନଥିବାରୁ ୨ ଶହ ମିଟର ରାସ୍ତା କାର୍ଯ୍ୟ ଆଗେଇ ପାରୁନଥିବା ଅଭିଯୋଗ ହୋଇଛି । ଉକ୍ତ ୨ ଶହ ମିଟର ଅଞ୍ଚଳ ବହୁ ସଂକୀର୍ଣ୍ଣ ହୋଇଥିବାରୁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଦେଖାଯାଉଛି । ତେବେ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମ୍ପୃକ୍ତ ଅଞ୍ଚଳକୁ ଜବର ଦଖଲମୁକ୍ତ କରି ରାସ୍ତା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।