ୟୁରିଆ ସାରର କଳା ବଜାର, ଚିନ୍ତା ରେ ଚାଷୀ
କାକଟପୁର/ଅସ୍ତରଙ୍ଗ:-(ଶୁଭାଶିଷ ଖଣ୍ଡୁଆଳ ):-କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ଓ ଚାଷର ଉର୍ନ୍ନତି ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରିବା ସହିତ ବିଭିନ୍ନ ପ୍ରକାର ପ୍ୟାକେଜ ମଧ୍ୟ ଘୋଷଣା କରି ଚାଲିଛନ୍ତି। ବାସ୍ତବରେ ପ୍ରକୃତ ଚାଷର ଦୁଃଖ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଗରିବ ମଧ୍ୟବିତ୍ତଚାଷୀ ମାନେ ସେମାନଙ୍କ ଚାଷ କାର୍ଯ୍ୟ ନିମନ୍ତେ ଧାର କରଜ କରିବା ସହିତ ଜମି, ଅଳଙ୍କାର ବନ୍ଧକ ରଖି ବହୁ ଖର୍ଚ୍ଚାନ୍ତ ହେଉଥିଲେ ମଧ୍ୟ ଠିକ ଚାଷ ସମୟରେ ଚାଷୀଙ୍କୁ ଉପଯୁକ୍ତ ବିହନ ଯୋଗାଇ ଦିଆଯାଉ ନାହିଁ। ସାର, ଔଷଧ ଯୋଗାଇ ଦିଆଯାଉ ନାହିଁ। ଫଳରେ ଚାଷୀ ମାନେ ବହୁ କଷ୍ଟରେ ଅଧିକ ଖର୍ଚ୍ଚାନ୍ତ ହୋଇ କଳା ବଜାର ରେ ସାର, ଔଷଧ କିଣି ସେ ଫସଲ କରୁଛନ୍ତି।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ୧୫ଗୋଟି ପଂଚାୟତ ରେ ଖରିଫ ଧାନ ଚାଷ ହଜାର ହଜାର ଚାଷୀ ଙ୍କ ମୁଖ୍ୟ ଫସଲ ଅଟେ। ଏହି ଖରିଫ ଧାନ ଚାଷ ପାଇଁ ଧାନ ତଳି ପକାଇବା ଠାରୁ ଧାନ ବଛା ପର୍ଯ୍ୟନ୍ତ ୟୁରିଆ ଓ ପଟାସ ସାରର ଆବଶ୍ୟକ ରହିଛି। ମାତ୍ର ଆଜକୁ ଦେଢ଼ ମାସ ହେବ ଅସ୍ତରଙ୍ଗ ବିଭିନ୍ନ ସ୍ଥାନରେ ୟୁରିଆ ସାର ମିଳୁନି। ଚାଷୀ ମାନେ ଡିଲର ପାଖକୁ ଦୌଡ଼ି ଦୌଡ଼ି ନିରାଶ ହୋଇ ଫେରୁଛନ୍ତି। ଶେଷରେ କେତେକ ଅସାଧୁ ସାର ବ୍ୟବସାୟୀ କଳା ବଜାର ରେ ବ୍ୟବସାୟୀ କରୁଛନ୍ତି। ଚାଷୀ ଙ୍କ ୟୁରିଆ ସାର ଏକାନ୍ତ ଆବଶ୍ୟକ ଦୃଷ୍ଟିରୁ ସେମାନେ ବାଧ୍ୟ୍ୟ ହୋଇ ଅଧିକ ମୂଲ୍ରେ ସାର କିଣି ଖରିଫ ଧାନ ଫସଲ ରେ ପକାଉଛନ୍ତି। ଅସ୍ତରଙ୍ଗ ବ୍ଲକ ରେ ୬ହଜାର ରୁ ଉର୍ଦ୍ଧ ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ କରାଯାଏ। ଏହା ଛଡା ଶହ ଶହ ଚାଷୀ ବିଭିନ୍ନ ପନିପରିବା ଚାଷ କରିଥାନ୍ତି। ସେଥି ପାଇଁ ସାରର ଏକାନ୍ତ ଆବଶ୍ୟକ। ୟୁରିଆ ସାର ର ସରକାରୀ ମୂଲ୍ୟ ୨୬୭ଟଙ୍କା ଥିବା ବେଳେ ଲାଇସେନ୍ସ ଡିଲର ଚାଷୀଙ୍କ ଠାରୁ ୫୮୦ରୁ ୬୦୦ଟଙ୍କା ନେଉଛନ୍ତି। ପ୍ୟାକ୍ସ ରେ ସାର ମିଳୁ ନଥିବାରୁ ଚାଷୀ ଅନ୍ୟ ଉପାୟ ନ ପାଇଁ ଲାଇସେନ୍ସ ପ୍ରାପ୍ତ ଡିଲରଙ୍କ ଠାରୁ ଚଢା ଦର ରେ ସାର କିଣୁଛନ୍ତି। ଅନେକ ସ୍ଥାନରେ ଅସାଧୁ ସାର ବ୍ୟବସାୟୀ ମାନେ ଚଢା ଦର ରେ ସାର ବିକ୍ରି କରୁଛନ୍ତି। ଏ ସମ୍ପର୍କ ରେ ଅସ୍ତରଙ୍ଗ ବ୍ଲକ କୃଷି ଅଧିକାରିଣୀ ବି. ଅର୍ପିତା କହିଛନ୍ତି ଲିଖିତ ଅଭିଯୋଗ ଆସିଲେ ତଦନ୍ତ କରିବୁ। ପ୍ରକୃତ ସତ୍ୟ କଣ ପୁରୀ ଜିଲ୍ଲାପାଳ ଏହାର ନିରପେକ୍ଷ ତଦନ୍ତ କରି ପଦକ୍ଷେପନେବା ସହିତ ତୁରନ୍ତ ଚାଷୀ ଙ୍କୁ ସୁବିଧା ରେ ୟୁରିଆ ସାର ଯୋଗାଇ ଦେବାକୁ ସ୍ଥାନୀୟ ଚାଷୀ ଦାବୀ କରିଛନ୍ତି।


