ବ୍ଳକସ୍ତରୀୟ ୧୫୦ତମ ବନ୍ଦେ ମାତରମ କାର୍ଯ୍ୟକ୍ରମ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଳକସ୍ତରୀୟ ବନ୍ଦେ ମାତରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ। ତେଣୁ ସମସ୍ତ ଛାତ୍ରଛାତ୍ରୀ ମାନେ ନିଜ ମଧ୍ୟରେ ଦେଶ ଭକ୍ତି ଜାଗ୍ରତ କରିବା ସହିତ ଦେଶମାତୃକା ପାଇଁ କାର୍ଯ୍ୟ କରିବା ଜରୁରୀ। ଯେତେବେଳେ ଆମ ଦେଶ ଇଂରେଜମାନଙ୍କ ଦ୍ୱାରା ଶାସିତ ହେଉଥିଲା ସେତେ ବେଳେ ସମସ୍ତେ ନିର୍ଯ୍ୟାତିତ ହେଉଥିଲେ। ଦେଶକୁ ସ୍ୱାଧୀନ କରିବା ପାଇଁ ଅନେକ ସ୍ୱାଧୀନତା ସଂଗ୍ରାମୀ ବିଭିନ୍ନ ଉପାୟ ଅବଲମ୍ବନ କରିଥିଲେ। ସେହି ସମୟରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କର ବନ୍ଦେ ମାତରମ ଗୀତ ଦେଶମାତୃକାକୁ ମୁକ୍ତ କରିବା ପାଇଁ ସଂଗ୍ରାମୀମାନଙ୍କୁ ଜାଗ୍ରତ କରାଇଥିଲା। ଆଜି ସେହି ଦେଶମାତୃକା ପାଇଁ ଜାଗ୍ରତ ହେବାକୁ ବନ୍ଦେ ମାତରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଉନ୍ନୟନ ଅଧୀକାରୀ ନିରଞ୍ଜନ ପରିଡା, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଦିନେଶ ରାୟ,ଅଧ୍ୟାପକ ଚୈଚନ୍ୟ ଚରଣ ପରିଡା,ସୁକାନ୍ତ କୁମାର ଲେଙ୍କା, ହିମାଂଶୁ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ସିଆରସିସି ଅକ୍ଷୟ କୁମାର ରାଉତ କାର୍ଯ୍ୟକ୍ରମକୁ ସଂଚାଳନ କରିବା ସହିତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ବୁଲାକୀ ସେଠୀ,ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟର ସମସ୍ତ ସିଆରସିସି,ପୋଲିସ କର୍ମଚାରୀ,ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।


