ବ୍ଳକ୍ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗିତା
ଆସିକା (ୱାଇଏନ୍ଏସ୍): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ପରାମର୍ଶ କ୍ରମେ ବୁଧବାର କଲେଜଛକ ସ୍ଥିତ ସରକାରୀ ଟେକନିକାଲ୍ ହାଇସ୍କୁଲ ପରିସରରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟରର ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନେଇ ବ୍ଳକ୍ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ତଥା କ୍ରୀଡା ସଂଗଠନର ସଭାନେତ୍ରୀ ମୁନ୍ରାଣୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବ୍ଳକ୍ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗିତାକୁ ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପାଠପଢା ସହିତ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ସମନ୍ୱୟ ରକ୍ଷା କ୍ଷେତ୍ରରେ କ୍ରୀଡାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରି କ୍ରୀଡାର ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ବହୁବିଧ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ । ଆସିକା ବ୍ଳକ କ୍ରୀଡା ସଂଗଠନର ଉପସଭାପତି ତଥା ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ କ୍ରୀଡା ସଂଗଠନର ସଂପାଦକ ତଥା ବରିଷ୍ଠ କ୍ରୀଡା ଶିକ୍ଷକ କୈଳାଶ ଚନ୍ଦ୍ର ଗୌଡ ଉଦ୍ବୋଧନ ଦେଇ କ୍ରୀଡା ଭିତ୍ତିଭୂମୀର ବିକାଶ ଓ ବିଭିନ୍ନ ଖେଳକୁଦ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଣ କରିବା ସକାଶେ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ଯୋଜନାଗୁଡିକ ଉପରେ ଆଲୋକପାତ କରିବା ସାଙ୍ଗକୁ ଖେଳାଳୀମାନେ କ୍ରୀଡା କ୍ଷେତ୍ରରେ ନିଜ ନିଜର ପ୍ରତିଭା ଦେଖାଇ ଭଲ ଖେଳାଳୀ ହେବାକୁ ଆହ୍ୱାନ କରିଥିଲେ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀମାନଙ୍କୁ ନେଇ କଲେଜଛକ ସ୍ଥିତ ଟେକନିକାଲ୍ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବ୍ଳକ୍ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗିତାରେ ପ୍ରାୟ ୪ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ମାନେ କନିଷ୍ଠ ଓ ବରିଷ୍ଠ ବର୍ଗରେ ବିଭିନ୍ନ ଖେଳରେ ଭାଗ ନେଇଥିଲେ । ଏହି ବ୍ଳକ୍ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଆଗାମୀ କିଛିଦିନ ପରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ସୁଯୋଗ ଦିଆଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଏହି ବ୍ଳକ୍ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଖେଳାଳୀମାନେ କଲେଜଛକ ସ୍ଥିତ ମା ଶୀତଳାଇ ମନ୍ଦିରରୁ ଏକ ମଶାଲ୍ ଶୋଭାଯାତ୍ରାରେ ବାହାରି ଖେଳପଡିଆରେ ପହଞ୍ଚିବା ପରେ କ୍ରୀଡାଧ୍ୱଜା ଉତ୍ତୋଳନ କାର୍ଯ୍ୟ ସମାପନ ହୋଇଥିଲା । ଅପରାହ୍ନରେ ବ୍ଳକ୍ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିବା ଏହି ବ୍ଳକସ୍ତରୀୟ କ୍ରୀଡା ପ୍ରତିଯୋଗିତାକୁ ସୁପରିଚାଳନା କରିବା ଦିଗରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଧାମୋହନ ଡାକୁଆ, ଶିଶିରକାନ୍ତ ବେହେରା, ସରୋଜ କୁମାର ପ୍ରଧାନ, ଆସିକା ବ୍ଳକ କ୍ରୀଡା ସଂଗଠନର ସଦସ୍ୟ ନାରାୟଣ ମହାପାତ୍ର, ସ୍ନେହଲତା ଆଚାର୍ଯ୍ୟ, ଗୀତାଞ୍ଜଳୀ ମହାପାତ୍ର, ଜି.ଆନନ୍ଦ ପାତ୍ର, ଚନ୍ଦ୍ରଶେଖର ଦାଶ, ପାଣ୍ଡବ ଗୌଡ, ଚନ୍ଦ୍ରକଳା ସାହୁ, କ୍ରୀଡା ଶିକ୍ଷକ ମଦନ ମୋହନ ବାଡତ୍ୟା, ଇନ୍ଦିରା ଦାଶ, ୟୁସୁଫ୍ କଳାପାହାଡ, ସରକାରୀ ଟେକନିକାଲ୍ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ପଣ୍ଡା, ସହକାରୀ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ଜେନା, ଗାୟତ୍ରୀ ବେହେରା, ରୁଚି ନାହାକ, ସର୍ମିଷ୍ଠା ସାହୁ, ଇପ୍ସିତା ମଲିକ, ଭଗବାନ ସ୍ୱାଇଁ, ମିତାଞ୍ଜଳୀ ପଣ୍ଡା, ସୁମିତ୍ରା କାର୍ଜୀ, ଦେବାଶିଷ ପାଣିଗ୍ରାହୀ, ରାହୁଳ କୁମାର ପଟ୍ଟନାୟକ, ବଳରାମ ବେହେରା, ଶିକ୍ଷାନୁଷ୍ଠାନର କର୍ମଚାରୀ ଅନିଲ୍ କୁମାର ଜେନା, ରବିନ୍ଦ୍ର କୁମାର ସ୍ୱାଇଁ, ବାସୁଦେବ ପ୍ରଧାନ, ଜୟଦେବ ରାଉତଙ୍କ ସମେତ ଶିକ୍ଷାବିଭାଗର ବହୁ କର୍ମଚାରୀ ଓ ଶିକ୍ଷକ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବ୍ଳକ ଅଧୀନସ୍ଥ କଲେଜଛକ ସ୍ଥିତ ଟେକନିକାଲ୍ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିବା ଏହି ବ୍ଳକ୍ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗିତାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳର କ୍ରୀଡାପ୍ରେମୀଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ବେଳେ କନିଷ୍ଠ ଓ ବରିଷ୍ଠ ବର୍ଗରେ କବାଡି ଓ ଖୋକୋ , ଲମ୍ବାଡିଆଁ, ଉଚ୍ଚାଡିଆଁ, ସଟ୍ଫୁଟ୍, ଡିସ୍କସ୍, ଜାଭେଲିନ୍ ଥ୍ରୋ ସମେତ ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।