ଚାଷ ଜମିରୁ ବୋମା ଜବତ: ମାମଲା ରୁଜୁ କଲା ପୁଲିସ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ କୁମରଡ଼ା ଗ୍ରାମ ବଡ଼ବନ୍ଧ ପୋଖରୀ ନିକଟ ରଘୁନାଥ ପ୍ରଧାନ ଙ୍କ ଘର ବାରିପଟ ଚାଷଜମି ରୁ ମଙ୍ଗଳବାର ସକାଳେ ଦୁଇଟି ହାତବୋମା କୁ କେ.ନୂଆଗାଁ ପୁଲିସ ଜବତ କରି ତଦନ୍ତ ଚଳାଇଛନ୍ତି।ସୋମବାର ରାତି ପ୍ରାୟ ୯ ଟାରେ ପୋଖରୀ କୁ ଶୌଚ ପାଇଁ ଯାଇଥିବା ଗ୍ରାମର କିଛି ବ୍ୟକ୍ତି ବୋମା ଦୁଇଟି ଦେଖି ଥାନାକୁ ଖବର ଦେଇଥିଲେ। ଆଇଆଇସି କିଶୋର କୁମାର ସାମଲ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରିବା ସହ ବୋମା ଦୁଇଟି କୁ ଜବତ କରି ତାକୁ ଏକ ପ୍ଲାଷ୍ଟିକ ବାଲ୍ଟି ରେ ରଖିବା ସହ ସେଠାରେ ପୁଲିସ କର୍ମଚାରୀ ଙ୍କୁ ମୁତୟନ କରି ଫେରିଥିଲେ। ବ୍ରହ୍ମପୁର ପୁଲିସ ମୁଖ୍ୟାଳୟ ର ବୋମା ନିଷ୍କ୍ରିୟ ସ୍କ୍ୱାର୍ଡ କୁ ଖବର ଦିଆଯିବା ପରେ ଟିମ୍ ସଦସ୍ୟ ବୃନ୍ଦ ମଙ୍ଗଳବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ବୋମା ଦୁଇଟି କୁ ନିଷ୍କ୍ରିୟ କରିଥିବା ଜଣାପଡିଛି।ଏନେଇ ବିଜୁଳି ବେଗରେ ଖବର ପ୍ରଚାରିତ ହେବା ପରେ ଗ୍ରାମ ତଥା ଆଖପାଖ ଗ୍ରାମରେ ଆତଙ୍କ ପ୍ରକାଶ ପାଇଥିଲା।କିଛିଦିନ ହେଲା କେତେକ ପେସାଦାର ଅପରାଧି ସଂଘବଦ୍ଧ ଭାବେ ଗାଁ ନିକଟ ପାହାଡ଼ ରେ ବଡ଼ ଧରଣର ଜୁଆ ଆଡ୍ଡା ଚଳାଇଛନ୍ତି।ଏହି ଜୁଆଆଡ୍ଡା କୁ ବିରୋଧ କରୁଥିବା ବ୍ୟକ୍ତି ମାନଙ୍କୁ ବୋମାମାଡ଼ କରିବା ପାଇଁ ଏହି ବୋମା ରଖାଯାଇଥିବା ନେଇ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚା ଚାଲିଛି।କିମ୍ବା ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତିପକ୍ଷ ଗୋଷ୍ଠୀ ର ଲୋକଙ୍କୁ ସଂଘବଦ୍ଧ ଆକ୍ରମଣ କରି ବୋମାମାଡ କରିବାକୁ କିଛି ବ୍ୟକ୍ତି ଏସବୁ ବୋମା ପ୍ରସ୍ତୁତ କରି ରଖିଥିବା ଆଲୋଚନା ହେଉଛି। ଅପରପକ୍ଷରେ ସମ୍ପୃକ୍ତ ଇଲାକାରେ କିଛିଦିନ ହେଲା ବାରହା ପଲ ଉପଦ୍ରବ କରି ବ୍ୟାପକ ପରିମାଣର ଫସଲ ନଷ୍ଟ କରୁଛନ୍ତି। ବାରହା ଶିକାର ପାଇଁ କେହି ବ୍ୟକ୍ତି ସେଠାରେ ବୋମା ରଖିଥିବା ପୁଲିସ ପକ୍ଷରୁ ସନ୍ଦେହ କରାଯାଇଛି।ଆଇଆଇସି ଙ୍କ ଏତଲା କ୍ରମେ ଥାନା କେସ ନଂ.୨୪/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। ଫସଲ ଲାଗିଥିବା ଜମିରେ ବାରହା କୁ ଶିକାର ପାଇଁ ଗୁଡ଼ ବୋଳା ବୋମା ରଖା ନଯାଇ ଖୋଲା ପଡିଆ ଜମି ରେ କାହିଁକି କିଏ ବୋମା ରଖିଥିଲେ ସେ ନେଇ ଗ୍ରାମବାସୀ ଙ୍କ ସନ୍ଦିହାନ ରେ ଅଛନ୍ତି। ଗତ ପ୍ରାୟ ୩ ମାସ ପୂର୍ବେ ଗାଁ ନିକଟସ୍ଥ ବୈଷ୍ଣବଦଲି ପାହାଡ ରେ ପ୍ରତିଷ୍ଠା କରାଯାଇଥିବା ଶ୍ରୀ ସାଇ ମନ୍ଦିର ପାର୍ଶ୍ଵ ରେ ବହୁ ସଂଖ୍ୟକ ବୋମା ଏକ ଝୋଟ ଅଖା ରେ ରଖାଯାଇଥିବା ମନ୍ଦିର ପୂଜକ ଦେଖିଥିଲେ।ପରେ ଅତି ସନ୍ତର୍ପଣରେ ସେ କିଛି ବ୍ୟକ୍ତିଙ୍କ ସହାୟତାରେ ବୋମା ଭର୍ତ୍ତି ଅଖା କୁ ନିକଟସ୍ଥ କେନାଲ ରେ ଫୋପାଡି ଦେଇଥିଲେ। ଘଟଣାର ପରଦିନ କେନାଲରୁ ଉକ୍ତ ବୋମା ଭର୍ତ୍ତି ଅଖା କେଉଁଆଡେ ଗାଏବ ହୋଇଯାଇଥିବା ଜଣାପଡିଥିଲା।ଏସବୁ ବୋମା କାରବାର ରେ କେଉଁମାନେ ସମ୍ପୃକ୍ତ ଏବଂ ସେମାନଙ୍କ ଉଦ୍ଦେଶ୍ୟ କଣ ହୋଇପାରେ ସେ ନେଇ ପୁଲିସ ପକ୍ଷରୁ ଖୋଳତାଡ଼ କରିବାର ଆବଶ୍ୟକତା ରହିଥିବା ଗ୍ରାମବାସୀ ଜଣାଇଛନ୍ତି।


