ଆବାସ ହିତାଧୀକାରୀ ଙ୍କୁ ମିଳୁନି ବୋନସ ସହାୟତା: ହିତାଧୀକାରୀ ହିନସ୍ତା
ହାଟଡିହି (ବିକାଶ ବିଶ୍ବାଳ): ସରକାର ଚାଳ ଘରେ ବାସ କରୁଥିବା ଗରିବ ଲୋକମାନଙ୍କୁ ସରକାର ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି। ଏଥିରେ ହିତାଧୀକାରୀ ମାନଙ୍କୁ କାର୍ଯ୍ୟାଦେଶ ସହିତ ପ୍ରଥମେ ଅଗ୍ରୀମ ଆକାରରେ ୪୦ହଜାର ଟଙ୍କା ଯୋଗାଇ ଦିଆଯାଉଛି। ହିତାଧିକାରୀ ମାନେ ୧୨୦ଦିନ ଅଥବା ୧୮୦ଦିନ ଭିତରେ ଘର ସମ୍ପୂର୍ଣ୍ଣ କଲେ ସେମାନଙ୍କୁ ବୋନସ ଯୋଗାଇ ଦେବାର ସରକାର ନିୟମ କରିଛନ୍ତି। ୧୨୦ଦିନ ଭିତରେ ଘର ସମ୍ପୂର୍ଣ୍ଣ କଲେ ୨୦ହଜାର ଓ ୧୮୦ଦିନରେ ସାରିଲେ ୧୦ହଜାର ପର୍ଯ୍ୟନ୍ତ ବୋନସ ଦେବାର ନିୟମ କରଯାଇଛି। କିନ୍ତୁ ସରକାରଙ୍କ ଏହି ନିୟମ ଏବେ କାର୍ଯ୍ୟକାରୀ ହୋଇ ପାରୁନି। ଆଜକୁ ବର୍ଷେ ହେଲା ଯେଉଁ ହିତାଧିକାରୀ ମାନେ ଘର ସମ୍ପୁର୍ଣ କରିଛନ୍ତି ସେମାନେ ବ୍ଲକ ଦୌଡି ଦୌଡି ନୟାନ୍ତ ହେଲେଣି। ବୋନସ ଟଙ୍କା ପାଇବା ଆଶାରେ ଧାର କରଜ କରି ଘର କାମ ସମ୍ପୂର୍ଣ୍ଣ କରିଥିବା ହିତାଧୀକାରୀ ମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବୋନସ ଟଙ୍କା ପାଇଲେ ଧାର କରଜ ସୁଝିବେ ବୋଲି ଆଶା ବାନ୍ଧିଥିବା ହିତାଧିକାରୀ ମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ଶାସଙ୍ଗ ପଞ୍ଚାୟତର ବଡତୀରା ଗ୍ରାମର ରିତାଞ୍ଜଳୀ ସାହୁ ଆଜକୁ ବର୍ଷେ ହେଲା ଘରକାମ ସାରିଥିଲେ ବି ବୋନସ ପାଇ ପାରୁ ନାହାନ୍ତି। ସେ ଏନେଇ ବାରମ୍ଵାର ବ୍ଲକକୁ ଦୌଡି ଦୌଡି ନିରାଶ ହେବା ପରେ ବୋନସ ଆଶା ଛାଡ଼ିଦେଇଥିବା କହିଛନ୍ତି। ସେହିପରି ଅସିଆ ଗ୍ରାମର ଅଜୟ ଅମାନ୍ତ, ଜଡ଼ା ଜେନାଙ୍କ ଅବସ୍ଥା ମଧ୍ଯ ସମାନ। ସେମାନେ ବର୍ଷେ ହେଲା ବୋନସ ପାଇଁ ବ୍ଲକ କୁ ଦୌଡ଼ୁଛନ୍ତି। ସେହିପରି ବଡରମ୍ପାସ ପଞ୍ଚାୟତର ମାଣିକ ଜେନା ୧୦ମାସ ପୁର୍ବରୁ ବୋନସ ପାଇବା ଆଶାରେ ତରବର ହୋଇ ଘର ନିର୍ମାଣ ସାରିଥିଲେ ବି ଆଜି ପର୍ଯ୍ୟନ୍ତ ବୋନସ ସହାୟତା ପାଇ ନାହାନ୍ତି। ଧାର କରଜ କରି ଘର ସାରିଥିବା ବେଳେ ଏବେ କରଜ ସୁଝିବାକୁ ନାନା ଅସୁବିଧା ଭୋଗୁଛନ୍ତି ବୋଲି କହିଛନ୍ତି। ସେହିପରି ଶାନ୍ତିଲତା ସାହୁ , ବାସନ୍ତୀ ସାହୁ, ଶ୍ରୀମତୀ ସାହୁ, ସିଲି ବଳ, ବାସନ୍ତୀ ରାଉତଙ୍କ ଭଳି ଅନେକ ହିତାଧୀକାରୀ ବୋନସ ପାଇ ନଥିବା ଅଭିଯୋଗ କରିଛନ୍ତି। ହାଟଡିହି ବ୍ଲକରେ ୨୦୨୧/୨୨ , ୨୨/୨୩ ଓ ୨୩/୨୪ ବର୍ଷରେ ମୋଟ ୭୧୨୦ ଆବାସ ଯୋଜନା ଘର ପ୍ରଦାନ କରାଯାଇଥିବା ବେଳେ ୧୫୬୬ ଫନି ଘର ଲୋକଙ୍କୁ ଯୋଗାଇ ଦିଆଯାଇଥିଲା। ସେହିପରି ୨୦୨୪/୨୫ ଆର୍ଥିକ ବର୍ଷରେ ୭୦୯ ଘର ଦିଆ ଯାଇଥିଲା। କିନ୍ତୁ ଏବେ ସୁଧା ୭୦୦ରୁ ଉର୍ଦ୍ଧ୍ବ ହିତାଧୀକାରୀ ଘର କାମ ସାରି ବୋନସ ଟଙ୍କା ପାଇବା କୁ ଚାହିଁ ବସିଛନ୍ତି। ଏ ସମ୍ପର୍କରେ ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ଆଲୋକ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମୁଁ ଏ ବ୍ଲକକୁ ଆସିବା ବେଳୁ ବୋନସ ସାଇଟ୍ ଖୋଲୁ ନଥିବାରୁ କୌଣସି ହିତାଧିକାରୀଙ୍କୁ ବୋନସ ଦିଆଯାଇ ପାରୁନି ବୋଲି କହିଛନ୍ତି। ସାଇଟ ଖୋଲିଲେ ଯାଇ ବୋନସ ଦିଆଯିବ ବୋଲି କହିଛନ୍ତି। ସରକାର ଏ ଦିଗରେ ପଦକ୍ଷେପ ନେବାକୁ ହିତାଧୀକାରୀ ମାନେ ଦାବି କରିଛନ୍ତି।