ପୁସ୍ତକ କବିତା କସ୍ତୁରୀ ଉନ୍ମୋଚିତ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ସଦଗୁରୁ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଐତିହାସିକ ଜଳୈାକା ଆନନ୍ଦଧାମରେ ବାବାଙ୍କ ଆଶ୍ରିତ ମହାବୀର ସତ୍ୟସେବା ମଣ୍ଡଳର ଗୁରୁଭାଇ କେଶବ ସେଠୀଙ୍କ ତୃତୀୟ ସୃଷ୍ଟି କବିତା ପୁସ୍ତକ “କବିତା କସ୍ତୁରୀ” ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ପଣ୍ଡିତ ହୃଷୀକେଶ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କଟକ ରାଧାନାଥ ଉଚ୍ଚତର ଶିକ୍ଷାନୁଷ୍ଠାନର ସହକାରୀ ପ୍ରାଧ୍ୟାପକ ଡ଼. ଅଭୟ କୁମାର ରାଉତ ମୁଖ୍ୟ ଅତିଥି, କବି ମେଜର ଭରତ ଚନ୍ଦ୍ର ଜେନା ମୁଖ୍ୟବକ୍ତା, କବି ନିକୁଞ୍ଜ ବିହାରୀ ପୃଷ୍ଟି ପୁସ୍ତକ ସମୀକ୍ଷକ, ଶିକ୍ଷବିତ ମନୋରଞ୍ଜନ ତ୍ରିପାଠୀ, ଶରତ କୁମାର ରାଉତ, ଅଧ୍ୟାପକ ଦୀପକ କୁମାର ଓଝା ଓ ବ୍ୟଙ୍ଗକବି ଶ୍ରୀଧର କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଲୋକାର୍ପିତ କରିଥିଲେ। ସର୍ବ ପ୍ରଥମେ ସଦଗୁରୁ ବୈକୁଣ୍ଠନାଥଙ୍କ ପୂଜା ଆରାଧନା କରାଯିବା ପରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଗୁରୁବନ୍ଦନା ଗାନ କରାଯାଇ ପୁସ୍ତକ ଲୋକାର୍ପଣ କରାଯାଇଥିଲା। ଅତିଥିମାନେ କବିତା ପୁସ୍ତକଟିରେ ସ୍ଥାନ ପାଇଥିବା ବିଷୟବସ୍ତୁ ଉପରେ ଆଲୋଚନା କରି ଏହି କବିତା ପୁସ୍ତକଟି ପାଠକୀୟ ଆଦୃତି ଲାଭ କରିବା ସହ ସମାଜ ସଂସ୍କାର କ୍ଷେତ୍ରରେ ଏକ ମାଇଲୀଖୁଣ୍ଟ ହେବ ବୋଲି ମତ ରଖିଥିଲେ। ଏହି ଉତ୍ସବରେ ଗୁରୁଭାଇ ପରମାନନ୍ଦ ସାହୁ, କୃଷ୍ଣ ଚନ୍ଦ୍ର ନାୟକ, ଜ୍ୟୋତ୍ସ୍ନାମୟୀ ମହାନ୍ତି, ବିଜୟ କୁମାର ସାହୁ, ଗୟାଧର ଭାଇ, ବଂଶୀଧର ଭାଇ ଏବଂ ଆଶ୍ରମର ଅନ୍ତେବାସୀମାନେ ଉପସ୍ଥିତ ରହି ପୁସ୍ତକ ଲୋକାର୍ପଣ ଉତ୍ସବକୁ ପରିଚାଳନା କରିଥିଲେ। କବି ମନୋରଞ୍ଜନ ତ୍ରିପାଠୀ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ କବି ରଜନୀକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।


