ବୁଥ୍ସ୍ତରୀୟ ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍): ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପରାମର୍ଶ ଏବଂ ଭଂଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକା ବ୍ଳକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗୁରବାର ଠାରୁ ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଇଁ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଭୋଟର ପଞ୍ଜିକରଣ ଅଧିକାରୀ ତଥା ଭଂଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ପରାମର୍ଶ ଓ ଆସିକା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲିପିନା ଦାଶଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ଏହି ବୁଥ୍ସ୍ତରୀୟ ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମର ଉଦ୍ଘାଟନୀ ଦିବସରେ ସ୍ଥାନୀୟ ତହସିଲଦାର ସଙ୍ଗୀତା ସେଣ, ପ୍ରଶିକ୍ଷକ ରୂପେ ପୋଲସରା ତହସିଲଦାର ଦିପ୍ତୀମୟୀ ପାତ୍ର, ବୁଗୁଡା ତହସିଲଦାର ତାପସ ରାଉତ ପ୍ରମୁଖ ଯୋଗଦେଇ ବୁଥ୍ସ୍ତରୀୟ ଅଧିକାରୀମାନଙ୍କୁ ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ସରଳ ଓ ତୃଟିଶୂନ୍ୟ କରିବା, ନିର୍ବାଚନ ପରିଚାଳନାରେ ବିଏଲ୍ଓ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ, ଘରକୁ ଘର ବୁଲି ଭୋଟର ତାଲିକାକୁ ନିର୍ଭୁଲ ଭାବେ ତଥ୍ୟ ସଂଗ୍ରହ କରିବା, ନୂତନ ଭୋଟର ମାନଙ୍କ ନାମ ପଞ୍ଜିକରଣ କରିବା, ନୂଆଁ ଯୁବ ଭୋଟରଙ୍କୁ ଗୁରୁତ୍ୱ ଦେଇ ଭୋଟର ତାଲିକାଭୁକ୍ତ କରିବା, ଅନ୍ଲାଇନ୍ରେ ନିର୍ଭୁଲ ତଥ୍ୟ ଦେବା, ମୃତ୍ୟୁ ଓ ସ୍ଥାନାନ୍ତର ତଥା ଦୋହରା ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେବା ସମେତ ବିଭିନ୍ନ ବିଷୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରୁଥିବା ଜଣାପଡିଛି । ଆସିକା ବ୍ଳକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗୁରବାର ଠାରୁ ଆରମ୍ଭ ହୋଇଥିବା ବୁଥ୍ସ୍ତରୀୟ ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମର ପ୍ରଥମ ଦିବସରେ ୫୧ ଜଣ ବିଏଲ୍ଓଙ୍କ ସମେତ ବହୁ ସୁପରଭାଇଜର୍ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବ୍ଳକ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ରାଜଶ୍ରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ବୁଥ୍ସ୍ତରୀୟ ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମର ପ୍ରଥମ ଦିବସରେ ସୁପରଭାଇଜର୍ ଧୋବା ବେହେରା, ବଂଶୀଧର ପରିଡା, ନିରଂଜନ ପରିଡା, କାଳୁଚରଣ ଲେଙ୍କା, ଶୁଭେନ୍ଦୁ ଶେଖର ଜେନା, ବୁଥ୍ସ୍ତରୀୟ ଅଧିକାରୀ ରାଜେଶ୍ୱରୀ ଦୋରା, ଗୀତାଞ୍ଜଳୀ ନାହାକ, ଉର୍ମିଳା ପାଣିଗ୍ରାହୀ, ଡି.ସାବିତ୍ରୀ, ପ୍ରଭାତୀ କୁମାରୀ ବିଷୋୟୀ, ବିନୀତା ବିଷୋୟୀଙ୍କ ସମେତ ବହୁ ବିଏଲ୍ଓ ଉପସ୍ଥିତ ରହି ଜ୍ଞାନ ଆହରଣ କରିଥିବା ଦେଖିବାକୁ ମିଳିଥିଲା । ଏହି ବୁଥ୍ସ୍ତରୀୟ ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ୧୪ ତାରିଖରେ ଶେଷ ହେବ ବୋଲି ଜଣାପଡିଛି ।