ବ୍ରାଉନ ସୁଗାର କାରବାର ବୃଦ୍ଧି: ୩ଜଣକୁ ଉଠାଇ ନେଲା ସ୍ପେଶାଲ୍ ସ୍କ୍ୱାର୍ଡ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକର ନନ୍ଦିପଦା ଓ ସୋସୋ ଥାନା ଅଞ୍ଚଳରେ ଏବେ ବ୍ୟାପକ ପରିମାଣର ବ୍ରାଉନ ସୁଗାର କାରବାର ବୃଦ୍ଧି ପାଇଛି। ପୂର୍ବରୁ ନନ୍ଦିପଦା ଥାନା ମରୈଗାଁ ଓ ସୋସୋ ଥାନା ନାହା ଅଞ୍ଚଳଟି ଗଞ୍ଜେଇ ବେପାରୀଙ୍କ ଭୂସ୍ବର୍ଗ ପାଲଟି ଥିବା ବେଳେ ଏବେ ଧଳା ଜହର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ବିଭିନ୍ନ ଜିଲା ଓ ରାଜ୍ୟକୁ ଏହାର ଚେର ଲମ୍ବିଛି। ବାଲେଶ୍ଵର ଭଦ୍ରକ ଅଞ୍ଚଳରୁ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଅଣାଯାଇ ବିଭିନ୍ନ ଛକ ବଜାର ରେ ଥିବା ପାନ ଦୋକାନରେ ରଖାଯାଇ ବିକ୍ରୀ କରା ଯାଉଛି। ବିଶେଷ କରି ଯୁବ ପୀଢ଼ି ଓ କଲେଜ ଛାତ୍ର ମାନେ ଏହାକୁ ବ୍ୟବହାର କରି ବିପଥଗାମୀ ହେଉଛନ୍ତି। ଗତ କିଛି ମାସ ତଳେ ସମ୍ବଲପୁର ସ୍ପେଶାଲ୍ ସ୍କ୍ୱାର୍ଡ ଓରାଳି ଓ ଗେଡମା ନିକଟରୁ ଦୁଇଜଣ ବାହାର ଜିଲ୍ଳାର ବେପାରୀଙ୍କୁ ଧରି ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବଦ କରିଥିଲେ। କିନ୍ତୁ ଉକ୍ତ ବାହାର ଜିଲ୍ଳାର ବେପାରୀ ମାନେ ଏ ଅଞ୍ଚଳର କାହାକୁ ବିକ୍ରି କରୁଥିଲେ ସେନେଇ କିଛି ଖୋଲ ତାଡ଼ କରି ନଥିଲେ ଯାହାଦ୍ଵାରା ପରବର୍ତ୍ତୀ ସମୟରେ ସେମାନେ ଏବେ ଖୁଲାମ୍ ଖୁଲା ବ୍ରାଉନ ସୁଗାର ବିକ୍ରୀ କରୁଛନ୍ତି। ଗତକାଲି ରାତିରେ କେନ୍ଦୁଝର ରୁ ଆସିଥିବା ସ୍ପେଶାଲ୍ ସ୍କ୍ୱାର୍ଡ ନନ୍ଦିପଦା ଥାନା ଅଞ୍ଚଳରେ ଚଢାଉ କରି ତିନି ଜଣଙ୍କୁ ଉଠାଇ ନେଇ ପଚରା ଉଚୁରା କରୁଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।