ବୁଗୁଡା ବ୍ଲକ ସ୍ତରୀୟ ଧାନ ମଣ୍ଡି ଉଦଘାଟନ
ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ସ୍ତରୀୟ ଧାନ ମଣ୍ଡି ୨୬/୧୨/୨୫ ତାରିଖ ଦିନ ମୋଟାବାଡ଼ି ସେବା ସମବାୟ ଧାନ ସଂଗ୍ରହ କେନ୍ଦ୍ରରେ ଶୁଭ ଉଦଘାଟନ ହୋଇଯାଇଛି। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୋଟାବାଡି ସେବା ସମବାୟ ପକ୍ଷରୁ ନବ ନିର୍ମିତ ଧାନ ସଂଗ୍ରହ କେନ୍ଦ୍ର ଓ ଧାନ ମଣ୍ଡିକୁ ଉଦଘାଟନ କରିଥିଲେ। ବୁଗୁଡା ବିଡ଼ିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୁଗୁଡା ତହସିଲଦାର ତାପସ ରାଉତ, ବ୍ଲକ ସହକାରୀ କୃଷି ଅଧିକାରୀ ହରପ୍ରିୟା ବେହେରା, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଏରିଆ ଅଫିସର ନୃସିଂହ ଚରଣ ପଣ୍ଡା, ବିଧାୟକ ପ୍ରତିନିଧି ହରିହର ସାହୁ, ଆତ୍ମାର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ, ଆସିକା ସମବାୟ ଚିନି ଶିଳ୍ପ ପ୍ରତିନିଧି ଇଞ୍ଜିନିୟର ବସନ୍ତ କୁମାର ଦେଳେଇ, ଗୋଳାବନ୍ଧ ସେବା ସମବାୟ ସମିତିର ସଭାପତି ବସନ୍ତ କୁମାର ସାମଲ ଓ ମାଣିତରା ସେବା ସମବାୟ ସମିତିର ସଭାପତି ବାବୁଲ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ସେବା ସମବାୟ ସମିତି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଷୋୟୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଚାଷୀମାନେ ଏଫଏକିୟୁ ମାନର ଧାନ ପ୍ରଦାନ କରି ସଠିକ ସରକାରୀ ମୂଲ୍ୟର ଅର୍ଥ ପାଇପାରିବେ ବୋଲି ଅତିଥିମାନେ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ସେବା ସମବାୟ ସମିତିର ସମ୍ପାଦକ ଓ କୃଷକମାନେ ଉପସ୍ଥିତ ଥିଲେ। ଶେଷରେ ମାଣିତରା ସମବାୟ ସମିତି ସଭାପତି ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


