ବୁଗୁଡା ଠାକୁରାଣୀ ଯାତ୍ରା : ବିଭିନ୍ନ ସାହିରେ ମା’ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା
ବୁଗୁଡା (ଅନୀଲ କୁମାର ମହାରଣା): ବୁଗୁଡା ମା ପଞ୍ଚ ଠାକୁରାଣୀ ଯାତ୍ରାର ଏପ୍ରିଲ ୨୯ ତାରିଖ ହେଉଛି ପଞ୍ଚମ ଦିବସ। ଏପ୍ରିଲ ୨୫ ତାରିଖ ଦିନ ମା’ ମାଳିଝୋଳା, ମା’ ବୁଢୀ ଠାକୁରାଣୀ , ମା’ ବ୍ଯାଘ୍ରଦେବୀ , ମା’ ନାରାୟଣୀ ଓ ମା’ ମାଉଁଦେଈ ପଞ୍ଚ ଠାକୁରାଣୀଙ୍କୁ ଆବାହନ କରି ଆଣି ବୁଗୁଡା ବଡ ଦାଣ୍ଡର ଅସ୍ଥାୟୀ ମଣ୍ଡପରେ ଆସ୍ଥାନ ପରେ ଠାକୁରାଣୀ ଯାତ୍ରାର ଶୁଭାରମ୍ଭ ହୋଇଥିଲା। ଏପ୍ରିଲ ୨୬ ତାରିଖ ଦିନ ମା’ ପଞ୍ଚ ଠାକୁରାଣୀ ବିଶ୍ରାମ ନେବା ପରେ ଏପ୍ରିଲ ୨୭ ତାରିଖ ଠାରୁ ମା’ମାନଙ୍କ ଘଟ ସହରର ବିଭିନ୍ନ ସାହି ପରିକ୍ରମା ଆରମ୍ଭ ହୋଇଥିଲା। ୨୯ ତାରିଖ ଦିନ ମା’ ପଞ୍ଚ ଠାକୁରାଣୀଙ୍କ ଘଟ ଆସ୍ଥାନ ବାହାରି ଶ୍ରୀ ବଳଦେବ ଜୀଉ ମନ୍ଦିର, ପୋଲସରା ରୋଡ଼, ମଦନ ମୋହନ ଛକ, ପାରିବ ମାର୍କେଟ ରାସ୍ତା, ଶାସ୍ତ୍ରୀ ନଗର, ଷ୍ଟାଡିୟମ ପାର୍ଶ୍ଵ ଦେଇ ଅନ୍ନପୂର୍ଣ୍ଣା ନଗର ଉଭୟ ପାର୍ଶ୍ଵ, କାଳୀ ମନ୍ଦିର ସାହି, ମହିମା ନଗର, ଅମିତ ନଗର ଭ୍ରମଣ କରି ବ୍ଲକ ଛକକୁ ବାହାରି ମୁଖ୍ୟ ସଡକରେ ମଦନ ମୋହନ ଛକ, ପୋଲସରା ରୋଡ଼ ଦେଇ ସୋମନାଥ ନଗର ଯାଇ ସେଠାରୁ ଫେରି ପୋଲସରା ରୋଡ଼ ଓ ବଳଦେବ ଜୀଉ ମନ୍ଦିର ଦେଇ ଅସ୍ଥାୟୀ ମଣ୍ଡପର ନିଜ ଆସ୍ଥାନକୁ ଫେରିଥିଲେ। ଘଟ ପରିକ୍ରମା ସମୟରେ ବିଭିନ୍ନ ବାଜା ସହ ହୁଳହୁଳି ଧ୍ୱନୀ ସହ ପ୍ରତ୍ୟେକ ଗୃହ ସମ୍ମୁଖରେ ପୁର୍ଣ୍ଣକୁମ୍ଭ ବସାଯାଇ ମା ପାଞ୍ଚ ଠାକୁରାଣୀଙ୍କ ଆଶିଷ ଲାଭ କରିଥିଲେ।