କଟକ ତ୍ରିଶୁଳିଆରେ ଫୁଟିଲା ଗୁଳି

କଟକ, (ଓ୍ବାଇଏନଏସ): ଅପରାହ୍ଣର ଶାନ୍ତ ପରିବେଶକୁ ଥରାଇ ଦେଲା ବନ୍ଧୁକର ଗର୍ଜନ। ଚନ୍ଦକା ନିକଟସ୍ଥ ତ୍ରିଶୁଳିଆରେ ଘଟିଯାଇଛି ଏକ ଗୁଳିକାଣ୍ଡ। ଦୁଇ ବିଲଡର ସଂସ୍ଥାଙ୍କ ମଧ୍ୟରେ ଚାଲିଥିବା ‘ରାସ୍ତା’ ବିବାଦ ଶେଷରେ ରକ୍ତମୁଖା ରୂପ ନେଇଛି। ଘଟଣାଟି ଏତିକିରେ ସରିନାହିଁ, ବରଂ ଏଥିରେ ଓଡ଼ିଶା ଅପରାଧ ଜଗତର ସବୁଠାରୁ ଭୟଙ୍କର ଗ୍ୟାଙ୍ଗ ‘ଡି-ବ୍ରଦର୍ସ’ର ସଂପୃକ୍ତି ପୁଣି ଥରେ ପୋଲିସର ନିଦ ହଜାଇ ଦେଇଛି। କହ୍ନେଇପଡ଼ା ମୌଜାରେ ଦୁଇଟି ବିଲଡର ସଂସ୍ଥା ମଧ୍ୟରେ ଏକ ରାସ୍ତାକୁ ନେଇ ଦୀର୍ଘ ଦିନରୁ କଳି ଚାଲିଥିଲା। ଆଜି ଅପରାହ୍ଣରେ ବିବାଦ ଚରମ ସୀମାରେ ପହଞ୍ଚିଥିଲା। ଅଭିଯୋଗ ଅନୁସାରେ, ଗୋଟିଏ ସଂସ୍ଥା ପକ୍ଷରୁ କିଛି ବନ୍ଧୁକଧାରୀ ଗୁଣ୍ଡା ଦଳ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଗୋଷ୍ଠୀକୁ ଧମକ ଚମକ ଦେବା ଆରମ୍ଭ କରିଥିଲେ। ଖବର ପାଇ ବାରଙ୍ଗ ଥାନା ଆଇଆଇସି ଦେବେନ୍ଦ୍ର କୁମାର ବିଶ୍ୱାଳ ସଦଳବଳେ ସେଠାରେ ପହଞ୍ଚିଥିଲେ। ପୋଲିସକୁ ଦେଖି ଦୁର୍ବୃତ୍ତମାନେ ଭୟ କରିବା ପରିବର୍ତ୍ତେ ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ। ଖସି ପଳାଇବା ପାଇଁ ସେମାନେ ସିଧାସଳଖ ପୋଲିସ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ। ତଥାପି ପୋଲିସ ନିଜ ଜୀବନକୁ ବାଜି ଲଗାଇ ସେମାନଙ୍କୁ ପିଛା କରିଥିଲା। ଜଣେ ଦୁର୍ବୃତ୍ତକୁ ପୋଲିସ ମାଡ଼ିବସିଥିବା ବେଳେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ। ଧରାପଡ଼ିଥିବା ଅଭିଯୁକ୍ତକୁ ପଚରାଉଚରା କରିବା ପରେ ପୋଲିସ ପାଇଥିଲା ଏକ ବଡ଼ ସୂଚନା। କଟକ ସିଡିଏ ଏବଂ ସ୍ଥାନୀୟ ଅଞ୍ଚଳର ୭ ଜଣ ଦୁର୍ବୃତ୍ତଙ୍କୁ ପୋଲିସ ଉଠାଇ ଆଣିଛି। ସବୁଠାରୁ ଚାଞ୍ଚଲ୍ୟକର ତଥ୍ୟ ହେଉଛି, ଗିରଫ ୭ ଜଣଙ୍କ ମଧ୍ୟରୁ ଜଣେ ଦୁର୍ଦ୍ଦାନ୍ତ ଡି-ବ୍ରଦର୍ସ ଗ୍ୟାଙ୍ଗର ସକ୍ରିୟ ସଦସ୍ୟ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ପ୍ୟାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। କଟକରେ ପୁଣି ଥରେ ଡି-ବ୍ରଦର୍ସ ଗ୍ୟାଙ୍ଗର କାୟା ବିସ୍ତାରକୁ ନେଇ ପୋଲିସ ଗୁରୁତର ସହ ତଦନ୍ତ ଆରମ୍ଭ କରିଛି। ବିଲଡର ସଂସ୍ଥାମାନେ କିଭଳି ଗ୍ୟାଙ୍ଗଷ୍ଟରଙ୍କ ସହଯୋଗ ନେଉଛନ୍ତି, ତାହାର ମଧ୍ୟ ଖୋଳତାଡ଼ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ