ବୁଲେଟ୍-ସ୍କୁଟି ମୁହାଁମୁହିଁ ଧକ୍କା: ବିଜେଡ଼ି ଯୁବ ସଂଗଠକ ମୃତ, ୩ ଆହତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି – ଘୋଡାହାଡ ଡ଼୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ବୁଲେଟ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ଘଟିଥିଲା । ଦୁର୍ଘଟଣାରେ ସିଦ୍ଧେଶ୍ୱର ପଞ୍ଚାୟତ ଆଦିକନ୍ଦପୁର ଗ୍ରାମର ବିଜେଡ଼ି ଯୁବ ସଂଗଠକ ବି . ଗଣେଶ ରେଡ୍ଡୀ ଙ୍କ ମୃତ୍ୟୁ ଘଟିଥିବା ବେଳେ ଆଦିକନ୍ଦପୁର ଗ୍ରାମର ଚେରୁ ରେଡ୍ଡୀ , ଭୂଷୁଣ୍ଡା ଗ୍ରାମର ରାଜା ପ୍ରଧାନ ଓ ସାନଖେମୁଣ୍ଡି ବ୍ଳକ ରାମଚନ୍ଦ୍ରପୁର ଗ୍ରାମର ଆଦର୍ଶ ଦଳାଇ ଆହାତ ହୋଇଛନ୍ତି । ଗଣେଶ ଓ ଚେରୁ ଉଭୟ ମିଶି ବୁଲେଟ ନଂ. ( ଓଡି୦୯ଡି- ୩୫୩୭) ଯୋଗେ ଗାଁ କୁ ଫେରୁଥିବା ବେଳେ ବିପରୀତ ଦିଗରୁ ଦିଗପହଣ୍ଡି ରୁ ଭୂଷୁଣ୍ଡା ଗ୍ରାମକୁ ଯାଉଥିବା ସ୍କୁଟି ନଂ. ( ଓଡି ୦୭ଏଏସ୍ – ୬୪୧୮) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ସମସ୍ତେ ରାସ୍ତା ଉପରେ କଚାଡି ହୋଇ ପଡ଼ିଥିଲେ। ଗଣେଶ ଯୁବ ବିଜେଡ଼ିର ଜଣେ ସୁସଙ୍ଗଠକ ହୋଇଥିବାରୁ ଖବରପାଇ ତାଙ୍କ ବହୁ ସଂଖ୍ୟକ ସାଙ୍ଗସାଥି ମୁହୂର୍ତ୍ତକ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ।ସମସ୍ତ ଆହାତ ଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ଉପସ୍ଥିତ ଡାକ୍ତର ଗଣେଶ ଙ୍କୁ ମୃତ ଘୋଷଣା କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ରାଜା, ଆଦର୍ଶ ଓ ଚେରୁ ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା । ଖବରପାଇ ଦିଗପହଣ୍ଡି ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ଦୁଇଟି ଗାଡିକୁ ଜବତ କରି ଥାନାକୁ ନେଇଛନ୍ତି। ସେହିପରି ସ୍ୱାସ୍ଥ୍ୟକେନ୍ଦ୍ର ରୁ ଗଣେଶ ଙ୍କ ମୃତଦେହ କୁ ପୁଲିସ ଜବତ କରି ଥାନା ମାମଲା ନଂ. ୭୦/୨୬ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ।ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ସିଦ୍ଧେଶ୍ୱର ପଞ୍ଚାୟତ ସରପଞ୍ଚ ବିଜୟ କୁମାର ପ୍ରଧାନ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି। ଗଣେଶ ଙ୍କ ବହୁ ସଂଖ୍ୟକ ସାଙ୍ଗ ସାଥି ଓ ସହପାଠୀ ତାଙ୍କ ପୈତୃକ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶବ ଶୋଭାଯାତ୍ରା ରେ ସାମିଲ ଥିଲେ। ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଥିବା ଜଣାପଡିଛି। ଗଣେଶ ଙ୍କ ଆକସ୍ମିକ ମୃତ୍ୟୁରେ ଦିଗପହଣ୍ଡି ବ୍ଲକ ତଥା ସିଦ୍ଧେଶ୍ୱର ପଞ୍ଚାୟତ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।


