ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ
ଆସିକା (ୱାଇଏନ୍ଏସ୍) :ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଗଙ୍ଗାପୁର କ୍ଳଷ୍ଟର ସର୍ବପୁରାତନ ତଥା ୧୯୨୬ ମସିହାରେ ସ୍ଥାପିତ ଗଙ୍ଗାପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ରବିବାର ଠାରୁ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଗଙ୍ଗାପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମୂଲ୍ୟ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ମିଶ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଜ୍ଞାନ କଲେଜର ଅଧ୍ୟକ୍ଷ ଡଃ ଅଜୟ କୁମାର ତ୍ରିପାଠୀ ଓ ସମ୍ମାନିତ ଅତିଥି ରୂପେ ସେବାନିବୃତ ସେନା କର୍ମଚାରୀ ଭିକାରୀ ଚରଣ ଦାଶ, ବରିଷ୍ଠ ସାମ୍ବାଦିକ ସୁଦର୍ଶନ ଛୋଟରାୟ, ସିଆର୍ସିସି ଚନ୍ଦ୍ରଶେଖର ସ୍ୱାଇଁ, ଗଙ୍ଗାପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ମନୋଜ କୁମାର ନାହାକ, ସମିତିସଭ୍ୟ ପ୍ରଭାତ କୁମାର ନାହାକ, ଶିକ୍ଷାବିତ୍ ସତ୍ୟବ୍ରତ ମିଶ୍ର ଓ ବିଜୟ କୁମାର ରଥ, ମଣ୍ଟାପଡା ସ୍ଥିତ ମା ରତ୍ନମାଳୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତାରା ପ୍ରସାଦ ମିଶ୍ର, ସ୍ୱେଚ୍ଛାସେବୀ ଲୋକନାଥ ମିଶ୍ର ଓ ହରିହର ସାହୁ, ସହକାରୀ ଶିକ୍ଷକ ଗଣେଶ ଦାଶ ପ୍ରମୁଖ ଯୋଗଦେଇ କଠିନ ପରିଶ୍ରମ ହିଁ ସଫଳତାର ମହୌଷଧି ହୋଇଥିଲା ବେଳେ ଛାତ୍ରଛାତ୍ରୀ ମାନେ ନିଜ ଉପରେ ବିଶ୍ୱାସ ରଖି ଆଗକୁ ବଢିବା ସହ ଆତ୍ମସଂଯମୀ ଓ ଶୃଙ୍ଖଳିତ ହୋଇ ଏହି ମାଟିର ଗୌରବ ଓ ସୁନାମକୁ ବଜାୟ ରଖିବାକୁ ପରାମର୍ଶ ଦେଇ ଲକ୍ଷ୍ୟ ସ୍ଥିର କରି ପରିଶ୍ରମ କଲେ ସଫଳତା ପ୍ରାପ୍ତି ନିଶ୍ଚିତ ବୋଲି ପ୍ରକାଶ କରିଥିଲେ। ଆସିକା ବ୍ଳକ ଅନ୍ତର୍ଗତ ଗଙ୍ଗାପୁର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ଦିବସ ୨୦୨୬ ପାଳନ ଅବସରରେ ଗଙ୍ଗାପୁର ଓ ରାଜେନ୍ଦ୍ରପୁର ଶାସନ ଗ୍ରାମର ବହୁ ପ୍ରତିଭାଧରଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ସଚେତନ ନାଗରିକ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଭିଭାବକଙ୍କୁ ବିମୋହିତ କରି ଦେଇଥିଲା । ଗଙ୍ଗାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ସଭାପତି ଆନନ୍ଦ ପରିଡା, ପ୍ରଧାନଶିକ୍ଷକ ଅମୂଲ୍ୟ କୁମାର ଦାଶ, ସହକାରୀ ଶିକ୍ଷକ ବିଶ୍ୱନାଥ ପାତ୍ର, ସୁକାନ୍ତ କୁମାର ପାତ୍ର, କାଞ୍ଚନ କହଁର, କ୍ରୀଡା ଶିକ୍ଷକ ସ୍ୱଦେଶ କୁମାର ଦଳେଇଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ, ଅଭିଭାବକ, ସଚେତନ ନାଗରିକ, ଗ୍ରାମବାସୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଅଞ୍ଚଳର ଅନ୍ୟତମ ସର୍ବ ପୁରାତନ ସରକାରୀ ଶିକ୍ଷାନୁଷ୍ଟାନ ଗଙ୍ଗାପୁର ୟୁପିଏସ୍ର ଶତବାର୍ଷିକୀ ପାଳନ ଅବସରରେ ବିଦ୍ୟାଳୟ ପରିବେଶକୁ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଥିଲା।


