ଦୂର ହେଲା ଚାଇଁପୁର ସମିତିର ଅଚଳାବସ୍ଥା, ମାଜିଷ୍ଟେଟଙ୍କ ଉପସ୍ଥିତିରେ ଭଙ୍ଗା ଗଲା ଅଫିସ ତାଲା
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ଚାଇଁପୁର ସେବା ସମବାୟ ସମିତିର ସମ୍ପାଦକଙ୍କୁ ନିଲମ୍ବନ କରିବା ପର ଠାରୁ ସମିତି ଅଫିସରେ ତାଲା ପଡିଥିଲା । ଫଳରେ ୩ ମାସରୁ ଉର୍ଦ୍ଧ୍ୱ ହେବ ସମିତିର କୌଣସି କାର୍ଯ୍ୟ ହୋଇପାରୁନଥିଲା । ଗତ ଜୁନ୍ ୨୬ରେ ଉପ ଜିଲାପାଳଙ୍କ ଚିଠି ନଂ-୨୨୪୪(୩) ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ଚାଷୀ ମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମିତିର ତାଲା ଖୋଲିବା ସହିତ ସମସ୍ତ ରେକର୍ଡ ପତ୍ର ଗୁଡିକୁ ଜବତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶ ବଳରେ ଗୁରବାର ମାଜିଷ୍ଟେଟ ଦାୟୀତ୍ୱରେ ଥିବା ଅତିରିକ୍ତ ତହସିଲଦାର ପ୍ରସନ୍ନ ମହାନ୍ତି, ବନ୍ତ ଥାନାଧିକାରୀ ମୋନାଲିସା କର, ରାଜସ୍ୱ ସୁପରଭାଇଜର ବ୍ରଜ କିଶୋର ଦାସ, ସମିତିର ସଭାପତି ଅଜୟ କୁମାର ନାୟକ, ଡିଇଓ ତଥା ଲେଜର କ୍ଲକ୍ ସୁଶୀଲ କୁମାର ଦାଶ, ପିଅନ ଅଭୟ ପତି, ବିବିସିସି ବ୍ୟାଙ୍କ ବନ୍ତ ଶାଖା ପରିଚାଳକ ଅସିତ ସ୍ୱାଇଁ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ସମିତିର ତାଲା ଭଙ୍ଗାଯାଇ ସମସ୍ତ କାଗଜପତ୍ର ଓ ଉପକରଣ ଗୁଡିକୁ ଜବତ କରାଯାଇଥିଲା । ପରେ ସମିତିର ଲେଜର କ୍ଲର୍କ ସୁଶୀଲ୍ କୁମାର ଦାସଙ୍କୁ ଜବତ ହୋଇଥିବା ସମସ୍ତ କାଗଜପତ୍ର, ରେଜିଷ୍ଟର, ଫାଇଲ ସମେତ କମ୍ପ୍ୟୁଟର ସେଟ୍ ଏବଂ ଆସବାବପତ୍ର ଗୁଡିକ ଜିମା ଦିଆଯାଇଥିଲା । ପ୍ରକାଶ ଥାଉକି, ଗତ ମାର୍ଚ୍ଚ ୨୯ରେ ଉକ୍ତ ସମିତିର ସମ୍ପାଦକଙ୍କ ମନମୁଖୀ ଓ ବେଆଇନ କାର୍ଯ୍ୟକୁ ବିରୋଧ କରି ସମିତିର ପରିଚାଳନା ପରିଷଦ ପକ୍ଷରୁ ସମ୍ପୃକ୍ତ ସମ୍ପାଦକଙ୍କୁ ନିଲମ୍ବନ କରାଯାଇଥିଲା । ନିଲମ୍ବନ ପରେ ଅଫିସର ରେକର୍ଡ ପତ୍ର ଓ ଆସବାବପତ୍ର ଗୁଡିକ ସମ୍ପୃକ୍ତ ସମ୍ପାଦକ ଜିମା ନଦେଇ ଅଫିସରେ ତାଲା ପକାଇ ଦେଇଥିଲେ । ଏସମ୍ପର୍କରେ ସମିତିର ସଭାପତି ଅଜୟ କୁମାର ନାୟକ ବାଲେଶ୍ୱରସ୍ଥିତ ବିବିସିସି ବ୍ୟାଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିଲେ । କୌଣସି କିଛି ସୁଫଳ ନମିଳିବାରୁ ସମବାୟ ସମିତିର ପରିଚାଳନା ପରିଷଦ ପକ୍ଷରୁ ରାଜ୍ୟ ସମବାୟ ମନ୍ତ୍ରୀ, ସଚିବ, ଜିଲାପାଳ, ଉପ ଜିଲାପାଳ, ଅତିରିକ୍ତ ଜିଲାପାଳ, ଏଆରସିଏସ୍, ଡିଆରସିଏସ୍ଙ୍କୁ ଅବଗତ କରା ଯାଇଥିଲା । ମେ ୨୩ରେ ବିବିସିସି ବ୍ୟାଙ୍କ ବନ୍ତ ଶାଖାର ସହକାରୀ କର୍ମଚାରୀ ରଞ୍ଜନ କୁମାର ରାଉତଙ୍କୁ ଉକ୍ତ ସମିତିର ସମ୍ପାଦକ ଦାୟୀତ୍ୱ ନେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେତେବେଳେ ସେ ଦାୟୀତ୍ୱ ନେଇନଥିଲେ । ପରେ ଜୁନ ୯ରେ ପଧାନପଡା ସମିତିର ସମ୍ପାଦକଙ୍କୁ ଦାୟୀତ୍ୱ ନେବା ପାଇଁ ଜିଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା । ମାତ୍ର ସେ ମଧ୍ୟ କୌଣସି କାରଣ ଦର୍ଶାଇ ଦାୟୀତ୍ୱ ନେଇ ନଥିଲେ । ଜୁଲାଇ ୯ରେ ବାଲେଶ୍ୱର ସିଇଓଙ୍କ ପକ୍ଷରୁ ଶ୍ରୀ ରାଉତଙ୍କୁ ଦାୟୀତ୍ୱ ନେବା ପାଇଁ ନିର୍ଦ୍ଦେଶ ହୋଇଥିଲା । ଜୁଲାଇ ୧୦ରେ ଭଦ୍ରକ ଏ.ଆର.ସି.ଏସଙ୍କ ପକ୍ଷରୁ ଶ୍ରୀ ରାଉତଙ୍କୁ ଦାୟୀତ୍ୱ ହସ୍ତାନ୍ତର କରିବା ପାଇଁ ନିଲମ୍ବିତ ସମ୍ପାଦକଙ୍କୁ ନିର୍ଦ୍ଦେଶ ହୋଇଥିଲା । ମାତ୍ର ଶ୍ରୀ ରାଉତ କୌଣସି କାରଣରୁ ଏପର୍ଯ୍ୟନ୍ତ ଦାୟୀତ୍ୱ ନେଇନାହାନ୍ତି । ଏପରିପେକ୍ଷୀରେ ଜୁଲାଇ ୧୯ ଠାରୁ ସମସ୍ତ ସମିତିରେ ଚାଷୀ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏଠାରେ ହୋଇପାରିନାହିଁ । ଫଳରେ ଚାଷୀ ମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତାଲା ଭଙ୍ଗା ଯାଇ ଅଚଳାବସ୍ଥା ଦୂର କରାଯାଇଛି । ଏଥିସହ ଚାଷୀ ମାନେ କିପରି ସୁବିଧାରେ ପଞ୍ଜୀକରଣ କରିପାରିବେ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।