ଗଞ୍ଜାମ ଜିଲ୍ଲାର ବୁଗୁଡାରୁ ପୁରୀ ରଥଖଳା ଅଭିମୁଖେ ରଥକାଠ
ବୁଗୁଡ଼ା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନ ଖଣ୍ତ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ଖରିଡା ଓ ବି.ବ୍ରହ୍ମପୁର ରୁ ୨୫୬.୩୨ ଘନଫୁଟର ୮ ଗୋଟି ଫାସି କାଠ ଏକ ଟ୍ରକ ଯୋଗେ ପୁରୀ ରଥଖଳାକୁ ପଠାଯାଇଛି। ଚଳିତ ବର୍ଷ ଦକ୍ଷିଣ ଘୁମୁସର ବନ ଖଣ୍ଡର ବୁଗୁଡା ବନାଞ୍ଚଳରୁ ରଥକାଠ ଯିବା ବେଳେ ବୁଗୁଡା ଅଞ୍ଚଳରେ କାଠ ବୋଝେଇ ଟ୍ରକକୁ ଘଣ୍ଟ, ଗିନି, ମୃଦଙ୍ଗ ବଜାଇ ବନ୍ଦାପନା କରିଥିଲେ। ବି.ବ୍ରହ୍ମପୁରର ଗ୍ରାମବାସୀ କବିରାଜ ଗୌଡ଼, ସତୀଶ କୁମାର ସେଠୀ ଓ ଗଙ୍ଗାଧର ସେଠୀ, ବୁଗୁଡ଼ାର ଦିଲ୍ଲୀପ କୁମାର ସେଠୀ ଏବଂ ଖରିଡା ଗ୍ରାମବାସୀ ସୁନୀଲ ସାହୁ ଓ ସୁଦର୍ଶନ ବିଷୋୟୀ ଏହି ଆଠ ଗୋଟି ଫାସି କାଠ ଗଣ୍ଡି ରଥ ନିର୍ମାଣ ପାଇଁ ପ୍ରଦାନ କରିଥିଲେ। ରଥ ନିର୍ମାଣ ପାଇଁ କାଠ ବୋଝେଇ ଟ୍ରକକୁ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଦକ୍ଷିଣ ଘୁମୁସର ବନ ଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ବୁଗୁଡା ବକଦେବ ଜୀଉ ମନ୍ଦିର ପରିଚାଳନା କମିଟି ସମ୍ପାଦକ ଶରତ ଚନ୍ଦ୍ର ମହାରଣା, ବନବିଭାଗ କର୍ମଚାରୀ ବୃନ୍ଦ ଏବଂ ଗ୍ରାମବାସୀ ବୃନ୍ଦ ରଥ କାଠ ଓ ରଥ କାଠ ବୋଝେଇ ଗାଡ଼ିକୁ ପୂଜାର୍ଚ୍ଚନା କରି ବିଦାୟ କରିଥିଲେ । ବୁଗୁଡାରୁ ପୁରୀକୁ ଶ୍ରୀଜୀଉଙ୍କ ରଥ ନିର୍ମାଣ ପାଇଁ କାଠ ଯାଉଥିବାରୁ ଅଞ୍ଚଳବାସୀ ଖୁବ ଖୁସି ବ୍ୟକ୍ତ କରିବା ସହ କାଠକୁ ଛୁଇଁ ମୁଣ୍ଡରେ ଲଗାଉଥିବା ଦେଖିବାକୁ ମିଳିଥିଲା ।