ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) :ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି। ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ଶ୍ରୀଜଗନ୍ନାଥ ଟ୍ରଷ୍ଟ ଆନୁକୁଲ୍ୟରେ ରାଜାରାମ ମଠ ପରିସରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ଦ୍ବାର ଫିଟା ନୀତି, ମଙ୍ଗଳ ଆଳତି, ମଇଲମ ଓ ଧାର୍ମିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କାର୍ଯ୍ୟ ସଂପନ୍ନ କରାଯାଇଥିଲା। ପରେ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯିବା ପରେ ସେବାୟତ ମାନଙ୍କ ଦ୍ଵାରା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ କାର୍ଯ୍ୟ ଆରମ୍ଭ କରାଯାଇ ରଥାରୁଢ଼ କରାଯାଇଥିଲା। ଅପରାହ୍ନ ୩ ଘ ୪୫ ମିନିଟ ସମୟରେ ମହାରାଜ ଗୋପାଳ ଚନ୍ଦ୍ର ଦାସ ସୁସଜ୍ଜିତ ପାଲିଙ୍କିରେ ଆସି ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ରୂପା ଖଡ଼ିକାରେ ଛେରାପହଁରା କାର୍ଯ୍ୟ ଧାର୍ମିକ ରୀତିନୀତି ଅନୁଯାୟୀ ସଂପାଦନ କରିଥିଲେ। ଅପରାହ୍ନ ୪ଘ ୨୦ ମିନିଟ ସମୟରେ ରାଜାରାମ ମଠ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ଟଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଶତାଧିକ ଶ୍ରଦ୍ଧାଳୁ ଭକ୍ତ ସମାଜ, ସେବାୟତ ଓ ପୋଲିସ କର୍ମଚାରୀ ରଥକୁ ଟାଣି ନେଇଥିଲେ। ସନ୍ଧ୍ୟାରେ ରାଉଳପାଟଣା ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ଠାରେ ପହଞ୍ଚି ଥିଲେ। ଆସନ୍ତା କାଲି ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦକ୍ଷଣ ମୋଡ କରାଯାଇ ପହଣ୍ଡି ବିଜେ କରି ଗୁଣ୍ଡିଚା ମନ୍ଦିରକୁ ନିଆଯିବ ବୋଲି ସେବାୟତ ମାନେ ପ୍ରକାଶ କରିଛନ୍ତି।