ହାଟଡିହି (ଓ୍ବାଇଏନଏସ) ଚାଲିଛି କୋଟି କୋଟି ଟଙ୍କାର ରାସ୍ତା ମରାମତି କାର୍ଯ୍ୟ। କିନ୍ତୁ ଲାଗିନି ସୂଚନା ଫଳକ। ରାସ୍ତାର ଦୁଇପାର୍ଶ୍ଵରେ ମୋରମ ବଦଳରେ ପଡ଼ୁଥିଲା ମାଟି, ଏଭଳି ଖବର ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଆଜି ମୋରମ ପକାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଅତିଶୀଘ୍ର ସୂଚନା ଫଳକ ଲଗାଇବାକୁ କନିଷ୍ଠ ଯନ୍ତ୍ରୀ କାଳୀ ପ୍ରସାଦ ସିଂ ସୂଚନା ଦେଇଛନ୍ତି। ଛେନାପଦି ହଦଗଡ଼ ରାସ୍ତାଟି କେନ୍ଦୁଝର ଜିଲ୍ଲାର ଏକ ପ୍ରମୁଖ ରାସ୍ତା ହୋଇଥିବା ବେଳେ ଏହା ଉପରେ ୮ଟି ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି। ବିଶେଷତଃ ହଦଗଡ଼ ସ୍ଥାନଟି ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ହୋଇଥିବା ବେଳେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ସେହିପରି ଜିଲ୍ଲାର ଏକ ମାତ୍ର ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ରହିଛି। ସାରା ଜିଲ୍ଲାର ଛାତ୍ରଛାତ୍ରୀ ଏଠାରେ ପଢ଼ୁଥିବା ବେଳେ ଶହ ଶହ ଅଭିଭାବକ ମଧ୍ୟ ଏଠାକୁ ଆସିଥାନ୍ତି। ଏହି ରାସ୍ତାଟି ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇଥିବା ବେଳେ ପୂର୍ତ୍ତ ବିଭାଗ ଅଧୀନରେ ରାସ୍ତାଟି ଅଛି। କିଛିବର୍ଷ ପୂର୍ବେ ୧୬ କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା । ଇତି ମଧ୍ୟରେ କିଛିକିଛି ସ୍ଥାନରେ ଖାଲ ଖମା ସୃଷ୍ଟି ହୋଇଥିଲା। ବିଭାଗ ପକ୍ଷରୁ ଏବେ ଏହାକୁ ମରାମତି କରାଯାଇ ସମ୍ପୂର୍ଣ୍ଣ ପିଚୁ ପକା ଯାଉଛି। କୋଟି କୋଟି ଟଙ୍କାର କାମ ହେଉଥିଲେ ବି କୌଣସି ସୂଚନା ଫଳକ ଲଗାଯାଇନି। ଯାହାଦ୍ଵାରା କେତେ ଟଙ୍କାର ଅନୁଦାନରେ ରାସ୍ତା ମରାମତି ଚାଲିଛି ତାହା କେହି ଜାଣି ପାରୁ ନାହାନ୍ତି । ସେହିପରି ରାସ୍ତାର ଉଭୟ ପାର୍ଶ୍ୱରେ ମୋରମ ପକା ନଯାଇ ମାଟି ପକାଯାଉଛି। ସେହି ନୟନଜୋରୀରୁ ମାଟି ଉଠାଯାଇ ରାସ୍ତାରେ ପକା ଯାଉଛି। ଅସରାଏ ବର୍ଷା ହେଲେ ମାଟି ଧୋଇଯିବାର ଆଶଙ୍କା ଥିବାବେଳେ କାଦୁଅ ହୋଇ ରାସ୍ତାକୁ ଆସିବାର ସମ୍ଭାବନା ଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ସମ୍ପର୍କ ରେ ଆଜି ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା। ବିଭାଗୀୟ ଯନ୍ତ୍ରୀଙ୍କ ନିର୍ଦେଶରେ ଆଜି ହଦଗଡ଼ ପଟୁ ମାଟି ଉପରେ ମୋରମ ପକାଯାଉ ଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀ କାଳୀ ପ୍ରସାଦ ସିଂ କହିଛନ୍ତି ଯେ ଏସ୍ଟିମେଟ ଅନୁଯାଇ କାମ ହେଉଛି। ଦୁଇ ତିନିଦିନ ଭିତରେ ସୂଚନା ଫଳକ ଲଗାଯିବ ବୋଲି କହିଛନ୍ତି।